ପଥରରେ ଛେଚି ଯୁବକଙ୍କୁ ହତ୍ୟା

କେନ୍ଦୁଝର,୧୫ା୧୨(ସ୍ବ.ପ୍ର.)-କେନ୍ଦୁଝର ଜିଲା ଦୈତାରୀ ଥାନା ଅନ୍ତର୍ଗତ ରେବଣା ଗ୍ରାମ ଛକ ନିକଟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ପଥର ଛେଚି ହତ୍ୟା କରାଯାଇଛି। ମୃତକ ହେଲେ ଡବର ମାଝି (୨୭)। ତାଙ୍କୁ ହତ୍ୟା କରାଯିବାର କାରଣ ଜଣା ପଡିନାହିଁ ା ହତ୍ୟାକାରୀ ଫେରାର ଥିବା ପୋଲିସ କହିଛି ା ଶନିବାର ସକାଳେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ା କେହି ଦୁର୍ବୃତ୍ତ ଡବରଙ୍କ ମୁଣ୍ଡ ଓ ମୁହଁକୁ ପଥରରେ ଛେଚି ଏଭଳି ବୀଭତ୍ସ ଭାବେ ହତ୍ୟା କରିଛନ୍ତି ଯେ ତାଙ୍କୁ ଚିହ୍ନିବା ସମ୍ଭବ ହୋଇ ନ ଥିଲା। ଡବରଙ୍କ ପୋଷାକରୁ ପରିବାର ଲୋକ ତାଙ୍କୁ ଚିହ୍ନି ଥିଲେ ା ପାରିପାର୍ଶ୍ୱିକ ଅବସ୍ଥାରୁ ଏକାଧିକ ଲୋକ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି ା
ମିଳିଥିବା ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ବାଇକ୍‌ରେ ହରିଚନ୍ଦନପୁର ହାଟକୁ ଡବର ଓ ତାଙ୍କ ପୁତୁରା କାହ୍ନୁ ଯାଇଥିଲେ। ସେଠାରୁ ଫେରିବା ପରେ ଡବର ସଂପୃକ୍ତ ବ୍ୟକ୍ତିଙ୍କୁ ଗାଡି ଫେରାଇବାକୁ ଯାଇଥିଲେ। ସେତେବେଳକୁ ସନ୍ଧ୍ୟା ହୋଇଯାଇଥିଲା ା ବିଳମ୍ବିତ ରାତି ପର୍ଯ୍ୟନ୍ତ ଡବର ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ସକାଳେ ତାଙ୍କୁ କେହି ହତ୍ୟା କରି ରାସ୍ତାରେ ପକାଇ ଦେଇଥିବା ଦେଖିବାକୁ ମିଳିଥିଲା। ଏନେଇ ପୋଲିସକୁ ତୁରନ୍ତ ଅବଗତ କରାଯାଇଥିଲା ା ପୋଲିସ ତଦନ୍ତ ଜାରି ରହିଛି। ଉକ୍ତ ସ୍କୁଟରକୁ ନେଇ ଗଣ୍ଡଗୋଳ ହୋଇଥିବା ଏବଂ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ଡବରଙ୍କ ସ୍ତ୍ରୀଙ୍କ ଏତଲାକୁ ଭିତ୍ତି କରି ଦୈତାରୀ ଥାନାରେ ୩୦୨ ଦଫାରେ ଏକ ହତ୍ୟା ମାମଲା (ନଂ. ୮୦/୨୦୧୯) ରୁଜୁ ହୋଇଛି ା