ପଥର କ୍ୱାରି କଲେ ଆତ୍ମହତ୍ୟା କରିବୁ

ଚନ୍ଦ୍ରଗିର,୮ା୧ -ପଥର କ୍ୱାରୀ କଲେ ଆତ୍ମହତ୍ୟା କରିବୁ। ଏଭଳି ଚେତାବନୀ ଦେଇଛନ୍ତି ମୋହନା ତହସିଲ ବାଘମାରୀ ପଞ୍ଚାୟତର ପେଜପାଣୀ, ଫଟାଚାଞ୍ଚଡା ଓ ସର୍ଗୀସାହି ଗ୍ରାମବାସୀ। ସୂଚନାଯୋଗ୍ୟ ଯେ, ଫଟାଚାଞ୍ଚଡା ମୌଜା ଖାତା ନଂ.୧୮ ପ୍ଲଟ ନମ୍ବର ୧୭୨ରେ ୧.୮୦୦ହେକ୍ଟର ପର୍ବତ କିସମ ଜମିକୁ ଦୀର୍ଘମିଆଦି ଲିଜ୍‌ ସୂତ୍ରରେ ୨୦୧୭-୧୮ରୁ ୨୧-୨୨ ପର୍ଯ୍ୟନ୍ତ ଲିଜ ଦେବା ପାଇଁ ମୋହନା ତହସିଲରୁ ଏହି ତିନି ଖଣ୍ଡ ଗ୍ରାମବାସୀଙ୍କୁ ଅବଗତ କରାଇବାକୁ ବାଘମାରୀ ପଞ୍ଚାୟତକୁ ଚିଠି କରାଯାଇଥିଲା। ପଞ୍ଚାୟତ କାର୍ଯ୍ୟାଳୟରୁ ଚିଠି କରି ଉକ୍ତ ୩ ଗ୍ରାମବାସୀଙ୍କୁ ଜଣାଇ ଦିଆଯାଇଥିଲା। ୮ ମାର୍ଚ୍ଚ ୨୦୧୯ରେ ଫଟାଚାଞ୍ଚଡାରେ ଗ୍ରାମସଭା ବୈଠକ ବସି ପଥର କ୍ୱାରି ନ କରିବାକୁ ନିଷ୍ପତ୍ତି ହୋଇଥିଲା। ଏବିଷୟରେ ସରପଞ୍ଚ, ଚନ୍ଦ୍ରଗିରି ଆର୍‌ଆଇ, ମୋହନା ତହସିଲଦାର ତଥା ଗଜପତି ଜିଲାପାଳଙ୍କୁ ମଧ୍ୟ ପଞ୍ଚାୟତ ଜରିଆରେ ଜଣାଇ ଦିଆଯାଇଥିଲା। ମାତ୍ର ୩ ଜାନୁୟାରୀ ୨୦୨୦ରେ ଜଣେ କ୍ରସର ମାଲିକଙ୍କ ସହ ମୋହନା ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ ଓ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଉକ୍ତ ଜମିରେ ସିମେଣ୍ଟ ଖୁଣ୍ଟ ପୋତୁଥିବା ଦେଖି ଗ୍ରାମବାସୀ ବିରୋଧ କରିଥିଲେ। ପୁଣି ସୋମବାର ବାଘମାରୀ ପଞ୍ଚାୟତ ନାଏବ ସରପଞ୍ଚ ମାଥ୍ୟୁ ଶବର, ବଳରାମ ନାୟକ, ଲୁହୁରି ଶବର, ବାସିନୀ ମହାଙ୍କୁଡ଼, ବାଳକୃଷ୍ଣ ନାୟକ, ପ୍ରଭାକର ନାୟକ ପ୍ରମୁଖଙ୍କ ସହ ସେହି ଅଞ୍ଚଳର ମହିଳା ଓ ପୁରୁଷ ଏକାଠି ହୋଇ ପେଜପାଣୀ ଗ୍ରାମ ରାସ୍ତାରେ ବିକ୍ଷୋଭ କରିଥିଲେ। ସ୍ଥାନୀୟ ଜନସାଧାରଣଙ୍କ କହିବା ପ୍ରକାରେ ସେଠାରେ ବାଲ୍ୟ ଠାକୁରାଣୀ ଦେବୀ ଅଛନ୍ତି। ଆମେ ତାଙ୍କୁ ପୂଜା କରିଆସୁଛୁ। ଆମ୍ବ, ପଣଷ, କାଜୁ, ସପୁରି, କାଠକନ୍ଦା, ଜନା, ମାଣ୍ଡିଆ ଭଳି ବିଭିନ୍ନ ପ୍ରକାର ଫଳମୂଳ ଚାଷ କରି ଆମେ ପରିବାର ପ୍ରତିପୋଷଣ କରୁଛୁ। ଏଠାରେ ଯଦି ପଥର କ୍ୱାରୀ ହେଲେ ଜୀବନଜୀବିକା ଚାଲିଯିବ। ଏନେଇ ପୁଣି ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲାପାଳ, ବିଧାୟକ ତଥା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରିବୁ। ଯଦି କେହି ନ ଶୁଣିବେ ତେବେ ଆମେ ଆତ୍ମହତ୍ୟା କରିବୁ, ଆମ ମୃତ୍ୟୁ ପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି।
ବାଘମାରୀ ସରପଞ୍ଚ ବୃନ୍ଦାବତୀ ଶବର କହିଛନ୍ତି, ପଥର କ୍ୱାରିକୁ ସ୍ଥାନୀୟ ଲୋକେ ବିରୋଧ କରୁଥିବା ପ୍ରଶାସନକୁ ଜଣାଇଦିଆଯାଇଛି। ତଥାପି କ୍ୱାରି କରିବାକୁ ଆସିଛନ୍ତି। ମାତ୍ର ସରପଞ୍ଚ ହିସାବରେ ମଧ୍ୟ ମୋତେ ଜଣାଇନାହାନ୍ତି। ବିରୋଧ ସତ୍ତ୍ବେ ଏପରି ପଦକ୍ଷେପକୁ ମୁଁ ନିନ୍ଦା କରୁଛି
ବୋଲି କହିଛନ୍ତି।

Share