ପଥର ଫଟା ଦେଉଛି ରୋଜଗାର

ପାପଡାହାଣ୍ଡି,୩।୩(ଡି.ଏନ.ଏ)

ଯୁବାବସ୍ଥାରେ ଅଜଣା ରୋଗରେ ଆକ୍ରାନ୍ତ । ଚିକିତ୍ସା ଲାଗି ଅର୍ଥ ସାଜିଛି ବାଧକ । ଅସୁସ୍ଥତା କାରଣରୁ କୌଣସି କାମ କରି ପାରୁ ନାହାନ୍ତି। ଏପରି ସ୍ଥଳେ ପଥର ଫଟାଇ ଯାହା ରୋଜଗାର କରୁଛନ୍ତି ସେଥିରେ ଚୁଲି ଜଳୁଛି । ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ବେତଝରଣ ଗ୍ରାମର ସମ୍ବାରୁ ଯାନୀ (୩୦)ଙ୍କ ପରିବାର ଏହିପରି ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ସମ୍ବାରୁଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଥିବା ସମୟରେ ସମସ୍ତ କାମ କରି ପରିବାର ଚଳାଉଥିଲେ । କିନ୍ତୁ ଗତ କିଛି ବର୍ଷ ତଳେ ସେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଘରେ ପଡି ରହିଛନ୍ତି । ପାଦ ଫୁଲିକି ରହୁଥିବା ବେଳେ ମୁହଁ ବୁଲାଉଥିବା ଯୋଗୁଁ ସେ କୌଣସି କାମ କରିବାକୁ ଭୟ କରୁଛନ୍ତି । ସାମାନ୍ୟ କାମ କଲେ ହାଲିଆ ଅନୁଭବ କରୁଥିବା କହିଛନ୍ତି । ଶରୀର ଶୁଖିଗଲାଣି । ଏ ନେଇ ସେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ କିନ୍ତୁ ଡାକ୍ତର ରୋଗ ସମ୍ପର୍କରେ କିଛି କହିନଥିଲେ । ଅଧିକା ଚିକିତ୍ସା ପାଇଁ ପାଖରେ ଆବଶ୍ୟକୀୟ ଅର୍ଥ ନ ଥିବାରୁ ଅନ୍ୟ କୌଣସି ବଡ ଡାକ୍ତରଖାନା ଯାଇ ଚିକିତ୍ସା କରି ପାରୁ ନାହାନ୍ତି। ଅସୁସ୍ଥ ଯୋଗୁ ସମ୍ବାରୁ କୌଣସି କାମ ମଧ୍ୟ କରି ପାରୁ ନାହାନ୍ତି। ସେଥିପାଇଁ ଗାଁ ର ଶେଷ ମୁଣ୍ଡରେ ଥିବା ପଥର କୁଆଁରୀରେ ନିଆଁ ଜାଳି ଦିନ ତମାମ ଖରାରେ ବସି ରହିଥାନ୍ତି। ପଥର ଫାଟିଲା ପରେ ସେଗୁଡିକୁ ମେଟାଲ, ଗୋଡି ଆଦି କରି ବିକ୍ରି କରଥାନ୍ତି। ସେଥିରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ଭରଣ ପୋଷଣ କରିଥାନ୍ତି। ସରକାରଙ୍କ ତରଫରୁ ସମ୍ବାରୁଙ୍କୁ ଭତ୍ତା ସହ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ମିଳୁଥିବା କହିଛନ୍ତି । କିନ୍ତୁ ଆବାସ ଯୋଜନାରେ ଘର ଯୋଗାଇ ଦେବା ଲାଗି ନିବେଦନ କରିଛନ୍ତି। ଅଭାବି ସଂସାରରେ ଚାଳ ଘର ଛପର କରିବା କଷ୍ଟକର ବୋଲି ସମ୍ବାରୁ କହିଛନ୍ତି। ସ୍ତ୍ରୀ ଯମୁନା ସ୍ବାମୀର ଅବସ୍ଥା ଦେଖି ନିକଟସ୍ଥ କାଜୁମିଲରେ କାମ କରୁଛନ୍ତି। ପ୍ରଶାସନ ତରଫରୁ ଆବାସ ଯୋଜନାରେ ସାମିଲ ସହ ଚିକିତ୍ସା ଲାଗି ସହାୟତା ପ୍ରଦାନ ଲାଗି ନିବେଦନ କରିଛନ୍ତି ।

Share