ପଦନୀପାଳକୁ ଜିଲାପାଳଙ୍କ ଗସ୍ତ: ଖୁବ୍‌ଶୀଘ୍ର ପୋଲ ନିର୍ମାଣ ପ୍ରତିଶ୍ରୁତି

ଆଳି/ରାଜକନିକା, ୫।୧୨ (ଡି.ଏନ୍‌.ଏ): ଆଳି ବ୍ଲକ ଅଧୀନ ପଦନୀପାଳ ପଞ୍ଚାୟତ ଚତୁଃପାର୍ଶ୍ୱରେ କାଣୀ ଓ ଖରସ୍ରୋତା ନଦୀ ଘେରି ରହିଥିବାରୁ ପଞ୍ଚାୟତବାସୀ ଘରୁ ବାହାରିଲେ ଡଙ୍ଗାର ଆବଶ୍ୟକତା ପଡ଼େ। ତେବେ ଦୀର୍ଘବର୍ଷ ଧରି ଏହି ପଞ୍ଚାୟତବାସୀଙ୍କ ଯାତାୟାତ ସୁବିଧା ନିମନ୍ତେ ଏକ ପୋଲ ନିର୍ମାଣ ପାଇଁ ଦାବି ହେଉଥିଲେ ବି ପ୍ରଶାସନ କିମ୍ବା ରାଜନେତା ଏ ଦିଗରେ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଏହି ପଞ୍ଚାୟତରେ ବସବାସ କରୁଥିବା ପ୍ରାୟ ୫ହଜାର ଲୋକଙ୍କ ଯାତାୟାତର ଏକମାତ୍ର ମାଧ୍ୟମ ପାଲଟିଛି ଡଙ୍ଗା। ହେଲେ ଏବେ ନିଜ ଉଦ୍ୟମରେ ପୋଲ ତିଆରି କରିବା ପାଇଁ ପଞ୍ଚାୟତବାସୀ ଚାନ୍ଦା ଆଦାୟ କରି ପୋଲ ନିର୍ମାଣ କରୁଥିବା ବେଳେ ଏ ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ଏହି ଖବରପାଇ କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମା ବୁଧବାର ପଦନୀପାଳ ପଞ୍ଚାୟତ ଗସ୍ତ କରି ସ୍ଥାନୀୟ ଲୋକେ ନିର୍ମାଣ କରିଥିବା ରାସ୍ତାକୁ ଦେଖିଛନ୍ତି। ଏଥିସହ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ଖୁବ୍‌ଶୀଘ୍ର ନଦୀ ଉପରେ ପୋଲ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଏଥିସହିତ ନଦୀ କୂଳ ଖାଉଥିବା ସ୍ଥାନରେ ପଥର ପ୍ୟାକିଂ କରାଯିବ ବୋଲି ଜିଲାପାଳ କହିଛନ୍ତି। ଅପରପକ୍ଷରେ ଗ୍ରାମବାସୀ ଚାନ୍ଦାକରି ତିଆରି କରିଥିବା ରାସ୍ତାକୁ ଏମ୍‌ଜିଏନଆର୍‌ଇଜିଏସ୍‌ ମାଧ୍ୟମରେ ଅର୍ଥ ପ୍ରଦାନ କରିବେ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୦୮ ରେ ତତ୍କାଳୀନ କେନ୍ଦ୍ରାପଡ଼ା ଜିଲାପାଳ ପଦନୀପାଳକୁ ଯାଇ ପୋଲ ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

Share