Categories: ବାଣିଜ୍ୟ

ପଦବୀ ଛାଡ଼ିଲେ ଅର୍ବାନ ଲ୍ୟାଡର ସହ ପ୍ରତିଷ୍ଠାତା

ନୂଆଦିଲ୍ଲୀ,୨୩-୧୦: ଷ୍ଟାର୍ଟଅପ୍‌ ଅର୍ବାନ ଲ୍ୟାଡରର ସହ ପ୍ରତିଷ୍ଠାତା ତଥା ପ୍ରଡକ୍ଟ ଏବଂ ଟେକ୍ନୋଲୋଜି ଅଫିସର ଭାବେ କାର୍ଯ୍ୟ କରୁଥିବା ରାଜିବ ଶ୍ରୀବାସ୍ତବ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ବିସ୍କୁଲ ସହପାଠୀ ଆଶିଷ ଗୋୟଲଙ୍କ ସହ ମିଳିତ ହୋଇ ୨୦୧୨ରେ ସେ ଉକ୍ତ କମ୍ପାନୀ ସ୍ଥାପନା କରିଥିଲେ। ଷ୍ଟ୍ରାଟେଜିକ ପଦକ୍ଷେପ ଭାବେ କମ୍ପାନୀ ବୋର୍ଡ ଏବଂ ପ୍ରମୋଟରଙ୍କ ସହ ଜଡିତ ରହିବେ ବୋଲି ପ୍ରଫେସନାଲ ନେଟଓ୍ବର୍କ ଲିଙ୍କଡଇନରେ ସେ ପୋଷ୍ଟ କରିଛନ୍ତି। ଦୀର୍ଘ ୮ ବର୍ଷର ଯାତ୍ରା ସହ ଅର୍ବାନ ଲ୍ୟାଡରକୁ ଏକ ଲୋକପ୍ରିୟ ଫର୍ନିଚର ବ୍ରାଣ୍ଡ ଗଢି ତୋଳିବା ଉଦ୍ୟମ ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି। ତାଙ୍କର ପରବର୍ତ୍ତୀ କାର୍ଯ୍ୟପନ୍ଥା କ’ଣ ହେବ ସେ ନେଇ ଶ୍ରୀବାସ୍ତବ କୌଣସି ସୂଚନା ଦେଇ ନାହାନ୍ତି। ସେହିଭଳି ଅର୍ବନ ଲ୍ୟାଡରରେ ନିବେଶକ ଥିବା ତଥା କଲାରି କ୍ୟାପିଟାଲର ଏମ୍‌ଡି ବାଣି କୋଲା ମଧ୍ୟ କମ୍ପାନୀ ବୋର୍ଡରୁ ଓହରି ଯାଇଛନ୍ତି। ପାଣ୍ଠି ସଂଗ୍ରହ ଲାଗି ଅର୍ବାନ ଲ୍ୟାଡର ବର୍ତ୍ତମାନ ସଂଘର୍ଷ କରୁଛି। ଏଭଳି ସ୍ଥିତିରେ ପ୍ରମୁଖ ଦାୟିତ୍ୱରେ କାର୍ଯ୍ୟକରୁଥିବା ବ୍ୟକ୍ତି ବିଶେଷଙ୍କ ଇସ୍ତଫା କମ୍ପାନୀର ଭବିଷ୍ୟ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଚଳିତ ବର୍ଷ ଜୁନରେ କମ୍ପାନୀ ପ୍ରାୟ ୯୦ କର୍ମଚାରୀଙ୍କୁ ଛଟେଇ କରିଥିଲା। ୨୦୧୬ରେ ମଧ୍ୟ କିଛି କର୍ମଚାରୀ ଛଟେଇ ହୋଇଥିଲ। ସେହିଭଳି ମାର୍ଚ୍ଚରେ ମାର୍କେଟିଂ ମୁଖ୍ୟ ସଞ୍ଜୟ ଗୁପ୍ତା ଏବଂ ଉପସଭାପତି ପରାଗ ଶାହା କମ୍ପାନୀ ଛାଡିଥିଲେ।

Share