ପଦଯାତ୍ରାରେ ପାକିସ୍ତାନ ଯିବେ ମୁକ୍ତିକାନ୍ତ

ରାଉରକେଲା ଅଫିସ,୨୯।୮: ଦୁଇ ଦେଶ ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଖୁବ୍‌ଶୀଘ୍ର ପାକିସ୍ତାନକୁ ପଦଯାତ୍ରା କରିବେ ରାଉରକେଲାର ଯୁବ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ। ଏ ନେଇ ବୁଧବାର ସେକ୍ଟର-୨ ସେହେନାଇ ମଣ୍ଡପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ମୁକ୍ତିକାନ୍ତ ଏବେ ୩ହଜାର ୨ଶହ କି.ମି. ଚାଲି ଚାଲି ପାକିସ୍ତାନ ଯିବା ଘୋଷଣା କରିବା ପରେ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି।
ଖବରଦାତା ସମ୍ମିଳନୀରେ ମୁକ୍ତିକାନ୍ତଙ୍କ ସମେତ ରାଉରକେଲା ଯୁବ ଜାଗୃତି ମଞ୍ଚ ଆବାହକ ଗୋପାଳ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଜେନା କହିଥିଲେ, ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସୁସମ୍ପର୍କ ଅନିବାର୍ଯ୍ୟ ହୋଇପଡ଼ିଛି। ଏଥିସହ ଯୁବପିଢ଼ିଙ୍କୁ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟବୋଧ ପ୍ରତି ସଚେତନା କରାଇବା ସମୟ ଆସିଛି। ଏପରିସ୍ଥଳେ ମୁକ୍ତିକାନ୍ତଙ୍କ ପାକିସ୍ତାନ ପଦଯାତ୍ରା ଉଭୟ ଦେଶର ଯୁବପିଢ଼ିଙ୍କୁ ଜାଗ୍ରତ କରିବ ବୋଲି ଜେନା କହିଥିଲେ। ସଫଳତା ବିଫଳତାକୁ ପ୍ରସଙ୍ଗ ନ କରି ସେ ନିଜ ଲକ୍ଷ୍ୟ ପଥରେ ଆଗେଇବାକୁ ନିଷ୍ପତ୍ତି କରିଥିବାରୁ ଜେନା ତାଙ୍କୁ ସ୍ବାଗତ କରିଥିଲେ। ପାକିସ୍ତାନରେ ପହଞ୍ଚିବାକୁ ତାଙ୍କୁ ୬ ମାସ ସମୟ ଲାଗିବ। ଉଭୟ ଦେଶବାସୀଙ୍କ ମଧ୍ୟରେ ଶାନ୍ତିର ଭାବନା ଜାଗ୍ରତ କରିବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏ ନେଇ ମୁକ୍ତିକାନ୍ତ ଉଭୟ ଭାରତ ଓ ପାକିସ୍ଥାନ ସରକାରଙ୍କ ଅନୁମତି ଲୋଡ଼ିଥିଲେ। ଖୁବ୍‌ଶୀଘ୍ର ଅନୁମତି ମିଳିଯିବ ବୋଲି ଆଶା କରାଯାଉଥିବା ଜେନା କହିଛନ୍ତି।

Share