ପଦଯାତ୍ରାରେ ସରକାରଙ୍କ ଗୁଣଗାନ କଲେ ବିଧାୟକ

ଆନନ୍ଦପୁର,୧୦। ୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ନିର୍ବାଚନମଣ୍ଡଳୀ ଭଣ୍ଡାରିଡିହା ଏବଂ ଶାମୁକାନେଣ୍ଡି ପଞ୍ଚାୟତରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଏବଂ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଜିଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ଜିଲା ବିଜେଡି ସମ୍ପାଦକ ମନ୍ମଥ ରାଉତ, ଜିଲା ଟ୍ରକ ମାଲିକ ସଂଘ ସଭାପତି ରମାକାନ୍ତ ନାୟକ ପ୍ରମୁଖ ସାମିଲହୋଇ ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ପଦଯାତ୍ରା କରିଥିଲେ। ଏହି ଅବସରରେ ଦୁଇ ହଜାରରୁ ଊର୍ଦ୍ଧ୍ୱ ବିଜେଡି ସମର୍ଥକମାନେ ସାମିଲ ହୋଇ ସ୍ଲୋଗାନ ଦେଇଥିଲେ। ପରେ ଭଣ୍ଡାରିଡିହାଠାରେ ଏକ ପଥପ୍ରାନ୍ତ ସଭାରେ ବିଧାୟକ ପାତ୍ର ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ସୂଚନା ଦେଇଥିଲେ। ରାଜ୍ୟ ସରକାର ଗରିବମାନଙ୍କ ସରକାର ବୋଲି ଅଭିହିତ କରିବା ସହିତ ସମସ୍ତ ହିତାଧିକାରୀମାନେ ନିଜର ହକ୍‌ ହାସଲ ପାଇଁ ଗ୍ରାମସଭାରେ ସ୍ବର ଉତ୍ତୋଳନ କରିବାକୁ ପରାମର୍ଶ ଦେଇଥିଲେ। ସମସ୍ତ ସରକାରୀ ସୁବିଧା ହାସଲ କରିବାକୁ ହେଲେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ବିପୁଳମାତ୍ରାରେ ସମର୍ଥନ ଜଣାଇବା ପାଇଁ ବିଧାୟକ ପାତ୍ର ସୂଚନା ଦେଇଥିଲେ। ଏହି ପଦଯାତ୍ରାରେ ବହୁ ସଂଖ୍ୟାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ସାମିଲ ହୋଇଥିଲେ।