ପଦାକୁ ଆସିଲା ଅଷ୍ଟ୍ରେଲିଆ ପ୍ରତି ଚାଇନା ମନୋଭାବ

କାନ୍‌ବେରା,୩୦ା୪: ଅଷ୍ଟ୍ରେଲିଆ ପ୍ରତି ଚାଇନା ସରକାରଙ୍କ ବାସ୍ତବ ମନୋଭାବ ଜଣାପଡ଼ିଯାଇଛି। ଚାଇନାର ଅସଲ ମୁଖାକୁ ଖୋଲିଦେଇଛନ୍ତି ଏହାର ରାଷ୍ଟ୍ରଦୂତ ଚେଙ୍ଗ୍‌ ଜିଙ୍ଗ୍‌ୟେ। ଅଷ୍ଟ୍ରେଲିଆର ସାର୍ବଭୌମତ୍ୱକୁ ଦୁର୍ବଳ କରିବା ଲାଗି ଚାଇନାର କମ୍ୟୁନିଷ୍ଟ ପାର୍ଟି ଦୀର୍ଘବର୍ଷ ଧରି ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟ କରିଆସୁଛି। ହେଲେ ଚାଇନା ଶାସକ ସବୁବେଳେ ଅଷ୍ଟ୍ରେଲିଆକୁ ବନ୍ଧୁ ରାଷ୍ଟ୍ର କହିଆସୁଥିଲେ। ୨୦୧୪ରେ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଅଷ୍ଟ୍ରେଲିଆ ପାର୍ଲାମେଣ୍ଟରେ ଉଦ୍‌ବୋଧନ ଦେଇ କହିଥିଲେ, ଦୁଇ ଦେଶ ଉଭୟ ଭଲ ଓ ଖରାପ ସମୟରେ ଉତ୍ତମ ପଡୋଶୀ ରହିବା ଉଚିତ। ଏବେ ଚାଇନା ସୃଷ୍ଟ ମହାମାରୀ ପାଇଁ ଖରାପ ସମୟ ଆମ ସହ ରହିଛି ବୋଲି ରାଷ୍ଟ୍ରଦୂତ ଚେଙ୍ଗ୍‌ କହିବା ସହ ବାଣିଜ୍ୟ ବର୍ଜନ ଲାଗି ଅଷ୍ଟ୍ରେଲିଆକୁ ଖୋଲା ଧମକ ଦେଇଛନ୍ତି।
ବନ୍ଧୁ ରାଷ୍ଟ୍ର ସହ ବାଣିଜ୍ୟ ସମ୍ପର୍କ ଛିନ୍ନ ଲାଗି ଚାଇନା ଧମକ ଦେବା ପଛର ମୁଖ୍ୟ କାରଣ ହେଲା କରୋନା ମହାମାରୀର ମୂଳ ଖୋଜି ବାହାର କରିବା ଲାଗି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ ଗତ ସପ୍ତାହରେ ପ୍ରସ୍ତାବ ଦେଇଥିଲେ। ଅଷ୍ଟ୍ରେଲିଆ ଏବେ ଯାହା କରୁଛି ସେଥିରେ ଚାଇନା ଜନସାଧାରଣ ନିରାଶ ଓ ଅସନ୍ତୁଷ୍ଟ ବୋଲି ଏକ ସାକ୍ଷାତ୍‌କାରରେ ଚେଙ୍ଗ୍‌ କହିଛନ୍ତି। ଯଦି ମନୋଭାବ ଅଧିକ ଖରାପ ହୁଏ ତେବେ ସେଭଳି ଦେଶକୁ କାହିଁକି ଯିବା ନେଇ ଚାଇନାବାସୀ ଚିନ୍ତା କରିବେ। ପର୍ଯ୍ୟଟକ ଅଷ୍ଟ୍ରେଲିଆ ଯିବାକୁ ଚାହିଁବେ ନାହିଁ। ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅଷ୍ଟ୍ରେଲିଆ ପଠାଇବାକୁ ଇଚ୍ଛା କରିବେ ନାହିଁ ବୋଲି ଚାଇନା ରାଷ୍ଟ୍ରଦୂତ କହିଛନ୍ତି। ଆମେରିକା ସହ ମିଶି ଅଷ୍ଟ୍ରେଲିଆ ଚାଇନା ବିରୋଧରେ ରାଜନୈତିକ ପ୍ରଚାର ଅଭିଯାନ ଆରମ୍ଭ କରିଥିବା ସେ ଅଭିଯୋଗ କରିଛନ୍ତି। ଅଷ୍ଟ୍ରେଲିଆର ଏଭଳି ଚିନ୍ତାଧାରା ବିପଜ୍ଜନକ ହେବ ବୋଲି ଚେଙ୍ଗ୍‌ ସତର୍କ କରାଇଦେଇଛନ୍ତି।

Share