ପଦାଧିକାରୀ ହେଲେ ହେଁ ଜୀବନଯାପନ ସାଧାରଣ: ପନିପରିବା ଚାଷ କରନ୍ତି ଛେଣ୍ଡିପଦା ବିଡିଓ

ଛେଣ୍ଡିପଦା,୨୭।୧୧(ସ୍ବ.ପ୍ର.): ଅଧିକାରୀମାନେ ପଦପଦବୀ ମଣ୍ଡନ କରିବା ପରେ ସେମାନଙ୍କର ପ୍ରାୟ ଅଧିକାଂଶ କାର୍ଯ୍ୟ ଅର୍ଡର୍ଲିମାନେ କରିଥାନ୍ତି। ଯେମିତିକି ବଜାରରୁ ପରିବା ଆଣିବା, ଗ୍ରୋସରି ଆଣିବା, ବଗିଚାରେ ପାଣି ଦେବା, ଫୁଲଗଛ ଲଗାଇବା, ବଗିଚାର ଯତ୍ନ ନେବା ଇତ୍ୟାଦି। ହେଲେ ଏହିଭଳି ଅର୍ଡର ଦେଉଥିବା ବାବୁମାନଙ୍କଠାରୁ ଭିନ୍ନ ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ କୁମାର କେର୍କେଟା। ବିଡିଓ ପଦରେ ଥାଇ ମଧ୍ୟ ସେ ସାଧାରଣ ଜୀବନଯାପନ କରନ୍ତି। ନିଜ ବଗିଚାରେ ନିଜେ ପାଣି ଦିଅନ୍ତି। ନିଜେ ବଗିଚା ସଫା ରଖନ୍ତି। ସବୁଠାରୁ ବଡ଼ କଥା ହେଉଛି ବଜାରରୁ ସେ ପନିପରିବା ନ କିଣି ନିଜେ ନିଜ ବାଡ଼ିରେ ଚାଷ କରନ୍ତି। ବର୍ତ୍ତମାନ ତାଙ୍କ ବାଡ଼ିରେ ୧୮ ପ୍ରକାର ପନିପରିବା ସେ ଲଗାଇଛନ୍ତି।

ସେଥିମଧ୍ୟରେ ରହିଛି ବାଇଗଣ, ବିଲାତି ବାଇଗଣ, ଭେଣ୍ଡି, ଧନିଆପତ୍ର, ମୂଳା, କଲରା, ଫୁଲକୋବି, ବନ୍ଧାକୋବି, ବିନ୍‌, ସୋରିଷ ଶାଗ, ପାଳଙ୍ଗ ଶାଗ, କୋଶଳା ଶାଗ, ମଟର ଛୁଇଁ। କର୍ମମୟ ଜୀବନରେ ପ୍ରତିଦିନ ସକାଳୁ ଉଠି ଦୁଇଘଣ୍ଟା ହାତରେ କୋଡିଧରି ବଗିଚାରେ କାମ କରିଥାନ୍ତି। ୧୯୭୩ ମସିହାରେ ସୁନ୍ଦରଗଡ ଜିଲା ଝୁନମୁର ଗ୍ରାମରେ ତାଙ୍କର ଜନ୍ମ। ଗାଁ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଅଧ୍ୟୟନ ପରେ ୧୯୯୭ ମସିହାରେ ଦାର୍ଜିଲିଂରେ ଗ୍ରାଜୁଏଶନ ପାସ୍‌ କରିଥିଲେ। ଏହାପରେ ରାଉରେକେଲା ଗଭର୍ନମେଣ୍ଟ କଲେଜରେ ଇଂରାଜୀରେ ସ୍ନାତକୋତ୍ତର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହିତ ଓଏଏସ୍‌ ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ। ଚାକିରି ନ ମିଳିବା ପର୍ଯ୍ୟନ୍ତ ୪ ବର୍ଷ ଶିକ୍ଷକତା କରି ପରିବାର ଗୁଜୁରାଣ ମେଣ୍ଟାଇଥିଲେ।

୨୦୦୫ ମସିହାରେ ଚାକିରି ମିଳିବା ସହିତ ରେଙ୍ଗାଳି ଇରିଗେଶନ ପ୍ରୋଜେକ୍ଟ ନିମନ୍ତେ ଲ୍ୟାଣ୍ଡ ଆକ୍ୟୁଜିଶନ ଅଧିକାରୀ ଭାବେ ନିୟୋଜିତ ହୋଇଥିଲେ। ୨୦୧୧ ମସିହାଠାରୁ ଆଜିପର୍ଯ୍ୟନ୍ତ ସେ ବିଡିଓ ଭାବେ କାର୍ଯ୍ୟ କରିଆସୁଛନ୍ତି। ନୂଆପଡାରେ ଦୁଇବର୍ଷ କାର୍ଯ୍ୟ ସମାପନ କରି ଛେଣ୍ଡିପଦା ବିଡିଓ ଭାବେ ଯୋଗଦେଇଥିଲେ। କର୍ମମୟ ଜୀବନରୁ କିଛି ସମୟ ବାହାର କରି ନିଜେ ଚାଷ କରିବାକୁ ସେ ପସନ୍ଦ କରିଥାନ୍ତି। ଏପରି କି କାର୍ଯ୍ୟାଳୟକୁ ଆସୁଥିବା ଦୁଃଖୀ ମଣିଷକୁ ଖୁସି କରିପାରିଲେ ଆନନ୍ଦ ମିଳିଥାଏ ବୋଲି ସୁନୀଲ କୁହନ୍ତି। ଛେଣ୍ଡିପଦାରେ ଯୋଗଦେବାର ଦୁଇ ମାସ ମଧ୍ୟରେ ନିଜେ ବାଡିରେ ୧୮ରୁ ଊଦ୍ଧର୍‌ବ ପ୍ରକାରର ସବୁଜ ପନିପରିବା ଲଗାଇଛନ୍ତି।
ସୁନୀଲ କହୁନ୍ତି, ବଜାରରୁ କିଣି ଖାଇବା ଅପେକ୍ଷା ନିଜ ମେହନତରେ ବୁଦ୍ଧିବଳ ଖଟାଇ ଚାଷ କରିବା ସହିତ ବାଡିରୁ ତୋଳି ଖାଇବା ମଜା ଅଲଗା। ଚାଷ କରିବା ଦ୍ବାରା ସ୍ବାସ୍ଥ୍ୟ ଠିକ୍‌ ରହିବା ସହିତ ମନ ପ୍ରଫୁଲ୍ଲ ରହିପାରିବ ବୋଲି ସେ କହିଛନ୍ତି।

Share