ପଦାରେ ପଡ଼ିଲା ବିଫଳତା

ଭୁବନେଶ୍ୱର,୨୪।୮ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ୬୭ ଓ୍ବାର୍ଡରେ ମୋଟ ୬୫୦ କି.ମି. ଆଭ୍ୟନ୍ତରୀଣ ଡ୍ରେନ୍‌ ଓ ୬୦ କି.ମି. ମୁଖ୍ୟ ଡ୍ରେନ୍‌ ରହିଛି। ପ୍ରତିବର୍ଷ ବର୍ଷା ହେଲେ ଜଳବନ୍ଦୀ ସମସ୍ୟାରେ ସ୍ମାର୍ଟସିଟିବାସୀ ଘାଣ୍ଟି ହେଉଛନ୍ତି। ଯୋଜନା ପରେ ଯୋଜନା କରାଯାଇ ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଜଳ ନିଷ୍କାସନ ପାଇଁ ପୂରା ପ୍ରସ୍ତୁତ ଥିବା ବିଏମ୍‌ସି ସବୁବେଳେ ସଫେଇ ଦେଉଛି। ଡ୍ରେନ୍‌ରୁ ଆବର୍ଜନା ସଫେଇ, ରାସ୍ତାରୁ ଡ୍ରେନ୍‌କୁ ଜଳ ନିଷ୍କାସନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା କୁହାଯାଉଛି। ହେଲେ ସମସ୍ୟା ଉପୁଜିଲେ ଦୋଷ ଲଦାଲଦି ହେଉଛନ୍ତି। ଫଳରେ ସାଧାରଣ ଲୋକେ ବର୍ଷବର୍ଷ ଧରି ସମସ୍ୟାରେ ଘାଣ୍ଟି ହେଉଛନ୍ତି। ଶୁକ୍ରବାର ସହର ଜଳବନ୍ଦୀ ହୋଇଥିବାବେଳେ ବିଏମ୍‌ସି ପକ୍ଷରୁ କେତେକ ସ୍ଥାନରେ ପମ୍ପ୍‌ସେଟ୍‌ ଦ୍ୱାରା ଜଳ ନିଷ୍କାସନ କରାଯାଇଥିଲେ ମଧ୍ୟ ତାହା ଯଥେଷ୍ଟ ନ ଥିଲା। ସନ୍ଧ୍ୟାରେ ବିଏମ୍‌ସି ପ୍ରେସ୍‌ ବିବୃତି ଜାରି କରି ଜଳବନ୍ଦୀ ସମସ୍ୟାକୁ ସଫଳ ମୁକାବିଲା କରିଥିବା ଜଣାଇଛି।