Categories: ଖେଳ

ପଦାର୍ପଣ ଫୁଟବଲ ମ୍ୟାଚ୍‌ରେ ଗୋଲ କଲେ ବୟୋଜ୍ୟେଷ୍ଠ ଖେଳାଳି

କାହିରା,୧୧।୩- ଜଣେ ୭୪ ବର୍ଷୀୟ ଖେଳାଳି ଇଜିପ୍ଟର ତୃତୀୟ ଶ୍ରେଣୀ ଲିଗ୍‌ରେ ଗୋଲ ସ୍କୋର କରି ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଫୁଟବଲ ଇତିହାସରେ ଯେକୌଣସି ଅଫିସିଆଲ ମ୍ୟାଚ୍‌ରେ ଗୋଲ କରିବାରେ ଇଜେଲଦିନ ବାହାଦର ବୟୋଜ୍ୟେଷ୍ଠ ଖେଳାଳି। ସେ ଗିନିଜ ଓ୍ବାଲର୍‌ଡ ରେକଡର୍‌ସରେ ମଧ୍ୟ ସ୍ଥାନ ପାଇବେ। ତାଙ୍କୁ ଏହି ସମ୍ମାନଜନକ ତାଲିକାରେ ସ୍ଥାନ ପାଇବା ପାଇଁ ଚଳିତ ମାସ ୨୧ ତାରିଖକୁ ଅପେକ୍ଷା କରିବାକୁ ପଡ଼ିବ। ଦୁଇଟି ସମ୍ପୂର୍ଣ୍ଣ ଅଫିସିଆଲ ମ୍ୟାଚ୍‌ ଖେଳିବା ପରେ ହିଁ ଗିନିଜ ଓ୍ବାଲର୍‌ଡ ରେକର୍ଡରେ ସାମିଲ ହୋଇପାରିବେ। ବର୍ତ୍ତମାନ ଏହି ରେକର୍ଡ ଇସ୍ରାଏଲର ୭୩ ବର୍ଷୀୟ ଗୋଲକିପର ଆଇଜାକ ହାୟିକଙ୍କ ନାମରେ ଅଛି। ସେ ଗତବର୍ଷ ଏପ୍ରିଲରେ ଏଫ୍‌ସି ଆରନିକ ପକ୍ଷରୁ ପ୍ରତିନିଧିତ୍ୱ କରି ଏହି ରେକର୍ଡର ଅଧିକାରୀ ହୋଇଥିଲେ। କିନ୍ତୁ ତାଙ୍କ ରେକର୍ଡ ୧୯୪୫ରେ ଜନ୍ମିତ ବାହାଦର ଭାଙ୍ଗିବା ନିଶ୍ଚିତ। ଆଟାକିଂ ମିଡ୍‌ଫିଲ୍ଡର ୬ ବର୍ଷ ବୟସରେ ପ୍ରଥମେ ଫୁଟବଲ ଖେଳିଥିଲେ। ଦଳକୁ ମିଳିଥିବା ପେନାଲ୍ଟିକୁ ସେ ଗୋଲରେ ପରିଣତ କରିଥିଲେ। ଫଳରେ ମ୍ୟାଚ୍‌ ୧-୧ ଗୋଲରେ ଡ୍ର’ ରହିଥିଲା। ଗତ ଜାନୁୟାରୀରେ ବାହାଦର ଇଜିପ୍ଟ ଫୁଟବଲ ଆସୋସିଏଶନ ସହ ପ୍ରଫେଶନାଲ ଖେଳାଳି ଭାବେ ଯୋଡ଼ି ହୋଇଥିଲେ। ପୂର୍ବରୁ ସେ ସିଭିଲ ଇଞ୍ଜିନିୟର ଭାବେ ଅବସର ନେଇସାରିଛନ୍ତି।

Share