Categories: ଖେଳ

ପଦ୍ମଶ୍ରୀ ପାଇଁ ବିଜୟନଙ୍କ ନାମ ସୁପାରିସ କଲା ଏଆଇଏଫ୍‌ଏଫ୍‌

ନୂଆଦିଲ୍ଲୀ, ୧୮ା୬ (ପି.ଟି.)- ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମଶ୍ରୀ ପାଇଁ ପୂର୍ବତନ ଅଧିନାୟକ ଆଇଏମ୍‌ ବିଜୟନଙ୍କ ନାମ ସୁପାରିସ କରିଛି। ୫୧ ବର୍ଷୀୟ ପୂର୍ବତନ ଷ୍ଟ୍ରାଇକର ଭାରତ ତରଫରୁ ୯୦ ଦଶକ ପ୍ରାରମ୍ଭରେ ପଦାର୍ପଣ କରିଥିଲେ। ସେ ୭୯ଟି ମ୍ୟାଚ ଖେଳି ୪୦ ଗୋଲ ସ୍କୋର କରିଥିଲେ। ବିଜୟନ ୨୦୦୩ରେ ଅର୍ଜୁନ ପୁରସ୍କାର ପାଇଥିଲେ। ୧୯୯୩, ୧୯୯୭ ଓ ୧୯୯୯ରେ ସେ ‘ଇଣ୍ଡିଆନ ପ୍ଲେୟର ଅଫ୍‌ ଦି ଇୟର’ ପୁରସ୍କାର ଲାଭ କରିଥିଲେ। ବିଜୟନଙ୍କ ନାମ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଇଯାଇଥିବା ଏଆଇଏଫ୍‌ଏଫ୍‌ ସାଧାରଣ ସମ୍ପାଦକ କୁଶାଲ ଦାସ ପ୍ରକାଶ କରିଛନ୍ତି। ବିଜୟନ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଭାରତୀୟ ଫୁଟ୍‌ବଲ ଦଳର ନେତୃତ୍ୱ ନେଇଥିଲେ। ସେ ଓ ତାଙ୍କ ଷ୍ଟ୍ରାଇକର ଯୋଡ଼ି ବାଇଚୁଙ୍ଗ ଭୂତିଆ ଦଳ ପାଇଁ ଅନେକ ସଫଳତା ଆଣିଦେଇଥିଲେ। କ୍ଲବ ସ୍ତରରେ ସେ ମୋହନ ବାଗାନ, କେରଳ ପୋଲିସ, ବର୍ତ୍ତମାନ ଅଚଳ ହୋଇ ପଡ଼ିଥିବା ଏଫ୍‌ସି କୋଚିନ୍‌ ଓ ଜେସିଟି ଫଗଓ୍ବାରା ଦଳ ତରଫରୁ ପ୍ରତନିଧିତ୍ୱ କରିଛନ୍ତି। ଦ୍ରୁତତମ ଅନ୍ତର୍ଜାତୀୟ ଗୋଲ ସ୍କୋରର ତାଲିକାରେ ତାଙ୍କ ନାମ ରହିଛି। ୧୯୯୯ ସାଫ୍‌ ଗେମ୍ସରେ ସେ ଭୁଟାନ ବିପକ୍ଷ ଏକ ମ୍ୟାଚ୍‌ରେ ମାତ୍ର ୧୨ ସେକେଣ୍ଡରେ ଏକ ଗୋଲ ସ୍କୋର କରିପାରିଥିଲେ। ୨୦୦୩ରେ ଭାରତରେ ଅନୁଷ୍ଠିତ ଆଫ୍ରୋ-ଏସିଆନ ଗେମ୍ସରେ ସେ ୪ଟି ଗୋଲ ସ୍କୋର କରି ଟୁର୍ନାମେଣ୍ଟର ଟପ୍‌ ସ୍କୋରର ବିବେଚିତ ହୋଇଥିଲେ। ଏହି ଟୁର୍ନାମେଣ୍ଟ ପରେ ସେ ଅବସର ଗ୍ରହଣ କରିଥିଲେ। ବିଜୟନ ତାଙ୍କ ଜୀବନ ଆରମ୍ଭରେ ନିଜ ଜନ୍ମ ସହର ତ୍ରିଶୂରସ୍ଥିତ କର୍ପୋରେଶନ ଷ୍ଟାଡିୟମରେ ଫୁଟ୍‌ବଲ ମ୍ୟାଚ ଖେଳାଯାଉଥିବା ସମୟରେ ସୋଡ଼ା ବିକ୍ରି କରୁଥିଲେ। ମାତ୍ର ୧୭ ବର୍ଷ ବୟସରେ ସେ କେରଳ ପୋଲିସ୍‌ ଫୁଟ୍‌ବଲ କ୍ଲବ ତରଫରୁ ଜଣେ ଷ୍ଟ୍ରାଇକର ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଖେଳଛାଡ଼ିବା ପରେ ନିଜ ଘରୋଇ ସହରରେ ଯୁବ ଖେଳାଳିମାନଙ୍କୁ ତାଲିମ ଦେବାଲାଗି ଏକ ଫୁଟ୍‌ବଲ ଏକାଡେମୀ ପ୍ରତିଷ୍ଠା କରିଥିଲେ।

Share