ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ନିବେଦିତା ପଟ୍ଟନାୟକ ସମ୍ମାନ

କଟକ ଅଫିସ,୨୫।୧୧: କଟକ ଶହୀଦ ଭବନରେ ପ୍ରତିଷ୍ଠିତ ନୃତ୍ୟ ଗ୍ରୁପ୍‌ ‘ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ’ ଦ୍ୱାରା ଚାଲିଥିବା ୨୩ତମ ନୃତ୍ୟ ଓ ସଙ୍ଗୀତ ଉତ୍ସବ ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଛି। କହିବ ମୋ ପ୍ରାଣ, ନାଥ ରଘୁରାଣ, ପାଦପଦ୍ମେ ମୋର ମାଗୁଣି… ଗୀତରେ ଆରମ୍ଭ ହୋଇଥିଲା ରବିବାର ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ। ଗୀତର ଶୀର୍ଷକ ଥିଲା ‘ଶ୍ରୀରାମ ପ୍ରେୟସୀ’ ଓ ଏଥିରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ଗୁରୁ ମୀରା ଦାସ। ଅଶୋକ ବାଟିକାରେ ଦେବୀ ସୀତା ଓ ହନୁମାନଙ୍କ ଭେଟର କାହାଣୀ ନୃତ୍ୟ ମାଧ୍ୟମରେ ଦର୍ଶକଙ୍କ ନିକଟରେ ଉପସ୍ଥାପନ କରିଥିଲେ ଗୁରୁ ମୀରା ଦାସ। ପରେ ଏକାଡେମୀର କଳାକାରମାନେ ‘ବିନ୍ଦୁରୁ ସିନ୍ଧୁ’ ନୃତ୍ୟ ପ୍ରଦର୍ଶନ କରିଥିଲେ। ଏହି ନୃତ୍ୟ ମାଧ୍ୟମରେ ଗୋଟିଏ ବିନ୍ଦୁରେ ସମଗ୍ର ସଂସାର ସମର୍ପି ଯିବାର ବାର୍ତ୍ତା ପ୍ରଦାନ କରାଯାଇଥିଲା। ଯୋଗ ନୃତ୍ୟ ପ୍ରଦର୍ଶନ ପରେ ଶିଶୁ କଳାକାରମାନେ ଭୂମି ମଙ୍ଗଳମ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ନୃତ୍ୟଶିଳ୍ପୀ ମୋମ୍‌ ଗାଙ୍ଗୁଲି ଓ ଗୁରୁ ମୀରା ଦାସ ମୋହିନୀୟାଟମ୍‌-ଓଡ଼ିଶୀ ନୃତ୍ୟର ଫ୍ୟୁଜନ ପରିବେଷଣ କରିଥିଲେ। ଏହି ଅବସରରେ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସଙ୍ଗୀତଜ୍ଞ ଓ ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ମର୍ଯ୍ୟାଦାଜନକ ନିବେଦିତା ପଟ୍ଟନାୟକ ସମ୍ମାନ ପ୍ରଦାନ କରାଯାଇଥିଲା। ଉଦ୍‌ଯାପନୀ ସନ୍ଧ୍ୟାରେ ଏକାଡେମୀର ନୃତ୍ୟଶିଳ୍ପୀ ତସ୍ମୈଶ୍ରୀ ମହାପାତ୍ର, ପ୍ରେରଣା ଚାଟାର୍ଜୀ, ଅନୁଷ୍କା ମହାପାତ୍ର, ଲୋପାମୁଦ୍ରା ଭୋଇ, ତୁଳସୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଏଲ.ସି ପଟ୍ଟନାୟକ ଅତିଥି ଭାବେ ଯୋଗଦେଇଥିଲେ।