ପଦ୍ମ ପଙ୍କରେ ଲୀନ ହେଲା କଣ୍ଟାସାଗର

ରାୟଗଡ଼(ଗଜପତି),୧୮।୧-ଗଜପତି ଜିଲା ରାୟଗଡ଼ସ୍ଥିତ ଶତାୟୁ ‘କଣ୍ଟାସାଗର’ ପୋଖରୀ ଆଉ ଅଞ୍ଚଳବାସୀଙ୍କ କାମରେ ଲାଗୁନି। ଦିନେ ଅଞ୍ଚଳ ପାଇଁ ଆଶୀର୍ବାଦ ପାଲଟିଥିବା ଏହି ପୋଖରୀ ଏବେ ପଦ୍ମ ପଙ୍କରେ ଭର୍ତ୍ତି ହୋଇ ସମ୍ପୂୂର୍ଣ୍ଣ ନଷ୍ଟ ହୋଇଛି। ରାୟଗଡ଼ ଗ୍ରାମର ଉଭୟ ପାର୍ଶ୍ୱର ପ୍ରାୟ ଦୁଇ କିଲୋମିଟର ଦୂରରେ ପ୍ରବାହିତ ମହେନ୍ଦ୍ରତନୟା ଓ ରାଜପୁର ନଦୀ ଦୂର ହେଉଥିବାରୁ ଶହେ ବର୍ଷ ପୂର୍ବେ ରାୟଗଡ଼ ସମେତ ନିକଟସ୍ଥ ପଣ୍ଡାସାହି, ଚମ୍ପାସାହି, ଉପରସାହି, କଇଡ଼ପଦର ଆଦି ଗ୍ରାମର ଲୋକଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ଏହି ପୋଖରୀ ଖୋଳାଯାଇଥିଲା।
କଣ୍ଟାସାଗରର ପରିଷ୍କାର ଜଳ ପାନୀୟ ଉପଯୋଗୀ ହୋଇଥିବାରୁ ଅଞ୍ଚଳରେ ଜଳକଷ୍ଟ ନ ଥିଲା। ଏପରିକି ପୋଖରୀରେ ମାଛଚାଷ ମାଧ୍ୟମରେ ଆଦାୟ ଅର୍ଥ ପଞ୍ଚାୟତର ଜଳ, ପରିମଳ ଓ ବିଦ୍ୟୁତୀକରଣ କାର୍ଯ୍ୟରେ ମଧ୍ୟ ବିନିଯୋଗ ହୋଇପାରୁଥିଲା। ବର୍ଷା ଅଭାବରୁ ମରୁଡି ପରିସ୍ଥିତି ସୃଷ୍ଟି ହେଲେ ଏହି ପୋଖରୀ ତଳ ଅଞ୍ଚଳର ଜମିକୁ ପାଣି ଯୋଗାଇ କୃଷକଙ୍କ ପାଇଁ ମଧ୍ୟ ସହାୟକ ହେଉଥିଲା। ହେଲେ ସାପ୍ତାହିକ ବଜାରକୁ ଆସୁଥିବା ଶହ ଶହ ଯାନବାହନ ପୋଖରୀ ହୁଡ଼ାରେ ଧୋଇବା ଦ୍ୱାରା ପେଟ୍ରୋଲ, ଡିଜେଲ୍‌ ମିଶ୍ରିତ ଜଳ ପୋଖରୀରେ ପଶି ଏହାର ସ୍ବଚ୍ଛତା ନଷ୍ଟ ହୋଇଛି। ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିବା ସହ ଏହି ପୋଖରୀ ଏବେ ପଦ୍ମ ପଙ୍କରେ ଲୀନ ହୋଇଯାଇଥିବା ଦେଖିବାକୁ ମିଳିଛି। ଅଞ୍ଚଳର ଜନସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏକମାତ୍ର କରଣ ବନ୍ଧ ଅଞ୍ଚଳବାସୀଙ୍କ ପାଇଁ ସାହା ଭରସା ହୋଇଛି। ତେଣୁ କଣ୍ଟାସାଗର ବନ୍ଧର ପଙ୍କ ଉଦ୍ଧାର କରିବା ସହ ଏହାକୁ ବ୍ୟବହାର ଉପଯୋଗୀ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Share