Categories: ଜାତୀୟ

ପଦ ହରାଇଲେ ପ୍ରଜ୍ଞା

ନୂଆଦିଲ୍ଲୀ,୨୮।୧୧: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁର ‘ଦେଶଭକ୍ତ’ କହି ବିବାଦ ଘେରକୁ ଚାଲି ଯାଇଥିଲେ। ଏବେ ଏହା ତାଙ୍କୁ ମହଙ୍ଗା ପଡିଛି। ଏନେଇ ଗୁରୁବାର ତାଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟିରୁ ବାହାର କରି ଦିଆଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ତାଙ୍କୁ ଗୁରୁବାର ଏହି ପଦରୁ ବାହାର କରିଦେଇଛନ୍ତି। ଏହାସହ ଭାରତୀୟ ଜନତା ପାର୍ଟି(ଭାଜପା)ର ସଂସଦୀୟ ଦଳ ବୈଠକରେ ମଧ୍ୟ ତାଙ୍କୁ ଯୋଗ ନ ଦେବାକୁ କୁହାଯାଇଛି। ତେବେ ଦଳ ପକ୍ଷରୁ ତାଙ୍କ ଉପରେ ଆହୁରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି କୁହାଯାଉଛି। ଏମିତିକି ତାଙ୍କୁ ଦଳରୁ ବାହାର ମଧ୍ୟ କରି ଦିଆଯାଇପାରେ ବୋଲି ଆଲୋଚନା ହେଉଛି। ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ କହିଛନ୍ତି ପ୍ରଜ୍ଞାଙ୍କର ଏମିତି ମନ୍ତବ୍ୟ ବାସ୍ତବରେ ନିନ୍ଦନୀୟ। ଭାଜପା କେବେ ବି ଏହାକୁ ବରଦାସ୍ତ କରିବ ନାହିଁ। ସୂଚନାଯୋଗ୍ୟ, ପ୍ରଜ୍ଞା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ‘ଦେଶଭକ୍ତ’ କହିବା ପରେ ଲୋକ ସଭାରେ ତାଙ୍କର ଏଭଳି ମନ୍ତବ୍ୟକୁ ବିରୋଧୀ ସଦସ୍ୟମାନେ ଜୋରଦାର ବିରୋଧ କରିଥିଲେ। ଏହି ଘଟଣାକୁ ନେଇ ଏବେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଟୁଇଟ୍‌ କରି ପ୍ରଜ୍ଞାଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି। ସେ ଲେଖିଛନ୍ତି ‘ଆତଙ୍କବାଦୀ ପ୍ରଜ୍ଞା ଆତଙ୍କବାଦୀ ଗଡ୍‌ସେଙ୍କୁ ଦେଶଭକ୍ତ’ ବୋଲି କହିଛନ୍ତି। ଭାରତୀୟ ସଂସଦୀୟ ଇତିହାସରେ ଏହା ଏକ ଦୁଃଖଦ ଦିନ ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଗୁରୁବାର ଆରମ୍ଭ ହୋଇଥିବା ସଂସଦୀୟ ଅଧିବେଶନରେ ପ୍ରଥମେ ଏହି ଘଟଣାକୁ ନେଇ ଚର୍ଚ୍ଚା ହୋଇଥିଲା।

Share