ପନିପରିବା ଓ ଫଳ ଖାଏ: ପାର୍କରେ ଘଣ୍ଟାଏ ଓ୍ବାକ୍‌ କରେ

ଅଭିନେତା ଭଗବାନ ବେହେରା ଯିଏକି ଓଲିଉଡ଼, ଥିଏଟର ଓ ଟେଲିଭିଜନ ଜଗତର ଜଣେ ଜଣାଶୁଣା ନାମ। ନିଜର ଦକ୍ଷ ଅଭିନୟ ଜରିଆରେ ସେ ଲକ୍ଷ ଲକ୍ଷ ଓଡ଼ିଆଙ୍କ ମନ ଜିଣି ପାରିଛନ୍ତି। ୧୯୯୮ରେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଲିଉଡ଼ ଚଳଚ୍ଚିତ୍ର ‘ବାପା’ରୁ ସେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ପରେ ପରେ ତରଙ୍ଗ, ସାର୍ଥକ ଓ କଲର୍ସ ଓଡ଼ିଆ ପରି ଟିଭି ଚ୍ୟାନେଲର ବିଭିନ୍ନ ସିରିଏଲରେ ସେ ନିଜର ପାରଦର୍ଶିତା ଦେଖାଇଥିଲେ ଓ ଥିଏଟରରେ ମଧ୍ୟ ଅଭିନୟ କରିଛନ୍ତି। ଏବେ ସାର୍ଥକ ଟିଭିର ‘ତୋ ପାଇଁ ମୁଁ’ ସିରିଏଲରେ ଅଭିନୟ କରୁଥିବା ବେଳେ ସେ କେମିତି ଫିଟ୍‌ ରୁହନ୍ତି, ଫିଟ ରହିବା ପାଇଁ କ’ଣ କରନ୍ତି, କେଉଁ ସବୁ ଖାଦ୍ୟ ଖାଆନ୍ତି ଓ କାହାକୁ ଏଡାଇଥାନ୍ତି ସେସବୁ ବିଷୟରେ ଆସନ୍ତୁ ଜାଣିବା।

ନିୟମିତ ଭାବେ ପାର୍କରେ ଓ୍ବାକ କରନ୍ତି ଓ ସାଇକେଲରେ ବୁଲିବାକୁ ପସନ୍ଦ କରନ୍ତି। ନିଜ ଶରୀରକୁ ଫିଟ ରଖିବାକୁ ହେଲେ ଖାଦ୍ୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ବୋଲି ସେ ଭାବନ୍ତି। ସେଥିପାଇଁ ପନିପରିବା ଓ ଫଳ ଖାଇବାକୁ ଭଲ ପାଆନ୍ତି। ସିରିଏଲରେ ଅଭିନୟ କରୁଥିବା କ୍ୟାରେକ୍ଟର ହିସାବରେ ନିଜର ଫିଟନେସ୍‌ ବନାଇଥାନ୍ତି। ସବୁଦିନ ସକାଳୁ ଚୁଡ଼ା କଦଳୀ ଖାଇବା ସହିତ ପାଚିଲା ଅମୃତ ଭଣ୍ଡା ଖାଇବାକୁ ପସନ୍ଦ କରନ୍ତି। ଅଧିକାଂଶ ସମୟରେ ସେ ସାଧାରଣ ଖାଦ୍ୟଗୁଡ଼ିକୁ ସୀମିତ ଭାବେ ଖାଇଥାନ୍ତି। ଦିନକୁ ୩ଥର ଖାଇବା ସହ ୪ରୁ ୫ଲିଟର ପାଣି ପିଅନ୍ତି।
ଭଗବାନ କିଛି ଡାଏଟ ପ୍ଲାନ ନିଅନ୍ତି ନାହିଁ। ଜଣେ ସାଧାରଣ ମଣିଷ ପରି ଜୀବନଯାପନ କରିବାକୁ ତାଙ୍କୁ ଭଲ ଲାଗେ ବୋଲି ସେ କହିଛନ୍ତି। ପ୍ରତ୍ୟେକ ଦିନ ଦି’ପହର ଖାଇବାରେ ଭାତ ସହିତ କିଛି ନା କିଛି ତରକାରି ସହିତ ରାତିରେ ରୁଟି ଖାଇବାକୁ ପସନ୍ଦ କରନ୍ତି। ପ୍ରେଟିନ୍‌ କିମ୍ବା ଅନ୍ୟ କୌଣସି ସପ୍ଲିମେଣ୍ଟାରି ନିଅନ୍ତି ନାହିଁ। ବହୁତ ଦିନ ତଳେ ଜିମ୍‌ ଯାଉଥିଲେ। କିନ୍ତୁ ,ଏବେ ସେ ଜିମ୍‌ ଯିବା ବନ୍ଦ କରି ଦେଇଛନ୍ତି। ସପ୍ଲିମେଣ୍ଟାରି କିମ୍ବା ପ୍ରୋଟିନ୍‌ ନେବା ସ୍ଥାନରେ ସୁସ୍ଥ ରହିବା ଲାଗି ସୁସ୍ଥବାତାବରଣ ଦରକାର ବୋଲି ତାଙ୍କର ଚିନ୍ତାଧାରା। ସେ ସମସ୍ତ କାମ ନିର୍ଦ୍ଧାରିତ ସମୟ ମଧ୍ୟରେ କରିବାକୁ ଭଲ ପାଇଥାନ୍ତି। ଫିଟ୍‌ ରହିବାକୁ ହେଲେ ସୁସ୍ଥ ଖାଦ୍ୟ ଖାଇବା ଦରକାର ବୋଲି ସେ କହିଛନ୍ତି।
ସାକ୍ଷାତ୍‌- ସ୍ଥିତପ୍ରଜ୍ଞ ମିଶ୍ର

Share