ପନ୍ତଙ୍କୁ ଡାକରା

ନୂଆଦିଲ୍ଲୀ, ୧୨।୬: ଦିଲ୍ଲୀ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ବୁଧବାର ଇଂଲଣ୍ଡରେ ପହଞ୍ଚତ୍ଛନ୍ତି। ତାଙ୍କୁ ବ୍ୟାକ୍‌ଅପ ଖେଳାଳି ଭାବେ ଭାରତୀୟ ଦଳରେ ଯୋଗଦେବା ପାଇଁ ଡାକରା ଦିଆଯାଇଛି ବୋଲି ସୂତ୍ରରୁ ଜଣାପଡ଼ିଛି। ଆହତ ସମସ୍ୟା ଦେଇ ଗତି କରୁଥିବା ଶିଖର ଧାଓ୍ବନ ଭାରତୀୟ ଦଳରୁ ବାଦ୍‌ ପଡ଼ିବେ ନାହିଁ। ସେ ଫିଟ୍‌ ହେବା ପର୍ଯ୍ୟନ୍ତ ଦଳୀୟ ମ୍ୟାନେଜମେଣ୍ଟ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ରିଷଭଙ୍କୁ ଅତିରିକ୍ତ ଷ୍ଟାଣ୍ଡବାଇ ଖେଳାଳି ଭାବେ ଡାକରା ଦିଆଯାଇଛି। ପରବର୍ତ୍ତୀ ଭାଗରେ ଯଦି ଧାଓ୍ବନ ବିଶ୍ୱକପ୍‌ରୁ ବାଦ୍‌ ପଡ଼ନ୍ତି ତେବେ ପନ୍ତ ସେଠାରେ ଅଭ୍ୟସ୍ତ ହୋଇସାରିଥିବେ। ଏବେ ଖେଳାଳି ବଦଳ ପାଇଁ ଆଇସିସି ଅନୁମତି ଦରକାର ଏବଂ ପନ୍ତ ଶୀଘ୍ର ଭାରତୀୟ ଦଳରେ ଯୋଗଦେବେ ବୋଲି ସୂଚନା ମିଳିଛି। ବାମହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ ନଟ୍ଟିଂହାମଠାରେ ଜାତୀୟ ଦଳରେ ଯୋଗଦେବେ ବୋଲି ଆଶା କରାଯାଉଛି। ଯେଉଁଠାରେ ଭାରତୀୟ ଦଳ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବ। ଧାଓ୍ବନ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ନ ଥିବାରୁ ପନ୍ତ ଭାରତୀୟ ଦଳର ଅଂଶ ହୋଇପାରିବେ ନାହିଁ। ଏଣୁ ଗୁରୁବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଧାଓ୍ବନଙ୍କ ସ୍ଥାନରେ ଲୋକେଶ ରାହୁଲ ରୋହିତ ଶର୍ମାଙ୍କ ସହ ଓପନିଂ ଭାର ସମ୍ଭାଳିବେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୪ ନଂ କ୍ରମରେ ବ୍ୟାଟିଂ କରିବେ, ଯାହା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ କରିଥିଲେ। ଦୀନେଶ କାର୍ତ୍ତିକ ନିମ୍ନ କ୍ରମରେ ବ୍ୟାଟିଂ କରିବେ ବୋଲି ଆଶା କରାଯାଉଛି।

Share