Categories: ଖେଳ

ପନ୍ତଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଲେ କୋହଲି

ଖ୍ରୀଷ୍ଟଚର୍ଚ୍ଚ, ୩।୩ (ପି.ଟି.)- ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ କ୍ଲିନ୍‌ ସୁଇପ୍‌ (୦-୩)ରେ ହାରିବା ପରେ ଟେଷ୍ଟରେ ମଧ୍ୟ ଭ୍ରମଣକାରୀ ଭାରତୀୟ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଦ୍ୱିତୀୟ ମ୍ୟାଚ୍‌କୁ ୭ ଉଇକେଟ୍‌ରେ ହାରିବା ସହ ଭାରତ ଦୁଇ ମ୍ୟାଚ୍‌ବିଶିଷ୍ଟ ସିରିଜରେ କ୍ଲିନ୍‌ସୁଇପ୍‌ ହୋଇଛି। ଫଳରେ ଭାରତର ଦେଢ଼ମାସର ନ୍ୟୁଜିଲାଣ୍ଡ ଟୁର୍‌ ଶେଷ ହୋଇଛି। ଟେଷ୍ଟ ସିରିଜ ପରାଜୟବରଣ ପରେ ଅଧିନାୟକ ବିରାଟ କୋହଲିଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠିଛି। ଏଥିମଧ୍ୟରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଉଇକେଟ୍‌କିପର ରିଦ୍ଧିମାନ ଶାହଙ୍କ ଉପସ୍ଥିତି ସତ୍ତ୍ୱେ ବାରମ୍ବାର ବିଫଳ ହେଉଥିବା ରିଷଭ ପନ୍ତଙ୍କୁ ସୁଯୋଗ ଦେବା ନେଇ ଏବେ କୋହଲିଙ୍କ ଉପରକୁ ଆଙ୍ଗୁଠି ଉଠିଛି। ଘରୋଇ ପରିବେଶରେ ଉଭୟ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷରେ ଶାହ ଚମତ୍କାର ପ୍ରଦର୍ଶନ କରିଥିଲେ। କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର କୌଣସି ମ୍ୟାଚ୍‌ରେ ମଧ୍ୟ ତାଙ୍କୁ ସୁଯୋଗ ମିଳି ନ ଥିଲା। ପନ୍ତ ୨ଟି ଯାକ ମ୍ୟାଚ୍‌ରେ ସୁଯୋଗ ପାଇଥିଲେ ମଧ୍ୟ ଉଇକେଟ୍‌ ପଛରେ କି ଆଗରେ ପ୍ରଦର୍ଶନର ଛାପ ଛାଡ଼ିବାରେ ବିଫଳ ହୋଇଛନ୍ତି। ତେବେ ପନ୍ତଙ୍କୁ ସୁରକ୍ଷା ଦେବାକୁ ଆଗକୁ ଆସିଛନ୍ତି କୋହଲି। ସୋମବାର ମ୍ୟାଚ୍‌ ପରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କୋହଲି କହିଛନ୍ତି, ‘ଆମେ ତାଙ୍କୁ (ପନ୍ତ) ବହୁତ ସୁଯୋଗ ଦେଇଛୁ। କିନ୍ତୁ ମୋତେ ଲାଗୁନି ଯେ କେହି ଟିମ୍‌ରେ ନିଜ ସ୍ଥାନକୁ ହାଲ୍‌କା ଭାବେ ନେଉନାହାନ୍ତି। ପୁରା ଟିମ୍‌ର ଖରାପ ପ୍ରଦର୍ଶନ ଲାଗି ଆମେ ହାରିଲୁ। ଏଥିଲାଗି କେବଳ ପନ୍ତଙ୍କୁ ଦୋଷୀ ଭାବିବା ଭୁଲ’। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ୪ ଇନିଂସରୁ ପନ୍ତ ମାତ୍ର ୬୦ ରନ ସଂଗ୍ରହ କରିଛନ୍ତି, ଯେଉଁଥିରେ ୨୫ ରନ ତାଙ୍କର ଶ୍ରେଷ୍ଠ ଇନିଂସ ରହିଛି। ‘ଘରୋଇ ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ଆମେ ପନ୍ତଙ୍କୁ ସୁଯୋଗ ଦେଇଛୁ। ଏହାପରେ ସେ କେତେକେ ମ୍ୟାଚ୍‌ ଖେଳି ନ ଥିଲେ। କିନ୍ତୁ ପରେ ସେ କଠିନ ପରିଶ୍ରମ କରିଛନ୍ତି। ସେଥିପାଇଁ ଆମେ ତାଙ୍କୁ ଏହି ସିରିଜରେ ସୁଯୋଗ ଦେବାକୁ ଚିନ୍ତା କରିଥିଲୁ’ ବୋଲି କୋହଲି କହିଛନ୍ତି।

Share