Categories: ଖେଳ

ପନ୍ତଙ୍କ ସ୍ଥାନରେ ଖେଳିବେ ରିଦ୍ଧିମାନ

ବିଶାଖାପାଟନମ, ୧।୧୦ (ପି.ଟି.)- ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବୁଧବାରଠାରୁ ସ୍ଥାନୀୟ ଡ. ଓ୍ବାଇ.ଏସ୍‌. ରାଜଶେଖର ରେଡ୍ଡୀ କ୍ରିକେଟ୍‌ ଷ୍ଟାଡିୟମଠାରେ ଆରମ୍ଭ ହେବ। ଖରାପ ପ୍ରଦର୍ଶନ ଦେଇ ଗତି କରୁଥିବା ଯୁବ ଉଇକେଟ୍‌କିପର ରିଷଭ ପନ୍ତଙ୍କ ସ୍ଥାନରେ ବେଙ୍ଗଲର ରିଦ୍ଧିମାନ ଶାହ ପ୍ରଥମ ମ୍ୟାଚ୍‌ରେ ଖେଳିବେ ବୋଲି ଅଧିନାୟକ ବିରାଟ କୋହଲି ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ଶାହଙ୍କୁ ଏହି ଅବସରରେ ବିଶ୍ୱର ‘ଶ୍ରେଷ୍ଠ ଉଇକେଟ୍‌କିପର’ ବୋଲି କୋହଲି ଅଭିହିତ କରିଛନ୍ତି। ୩୪ ବର୍ଷୀୟ ଶାହ ଆଘାତଜନିତ କାରଣ ଲାଗି ବହୁଦିନ ହେବ ଜାତୀୟ ଦଳରୁ ଦୂରେଇ ରହିଛନ୍ତି। ଗତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜରେ ତାଙ୍କୁ ଦଳରେ ସ୍ଥାନ ମିଳିଥିଲା। କିନ୍ତୁ ଉଭୟ ମ୍ୟାଚ୍‌ରେ ଉଇକେଟ୍‌ରକ୍ଷଣ ଦାୟିତ୍ୱ ପନ୍ତଙ୍କୁ ମିଳିବାରୁ ଶାହଙ୍କୁ ନିରାଶ ହେବାକୁ ପଡ଼ିଥିଲା।
ଶାହ ଫିଟ୍‌ ଓ ଫାଇନ୍‌ ରହିଛନ୍ତି। ଆମ ସହିତ ସେ ସିରିଜ ଆରମ୍ଭ କରିବେ। ତାଙ୍କ କିପିଂ ଦକ୍ଷତା ସମସ୍ତେ ଦେଖିଲା ଭଳି। ଯେତେବେଳେ ତାଙ୍କୁ ସୁଯୋଗ ମିଳିଛି ସେ ବ୍ୟାଟିଂରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। କିନ୍ତୁ ଦୁଃଖର ବିଷୟ ଆଘାତଜନିତ ସମସ୍ୟା ଲାଗି ସେ ଦଳରୁ ବାଦ୍‌ ପଡ଼ିଥିଲେ। ମୋ ମତରେ ସେ ବିଶ୍ୱର ଶ୍ରେଷ୍ଠ ଉଇକେଟ୍‌କିପର’ ବୋଲି କୋହଲି ପ୍ରଥମ ଟେଷ୍ଟ ପୂର୍ବରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏହା କହିଛନ୍ତି। ଶାହ ୩୨ ଟେଷ୍ଟରୁ ୩୦.୬୩ ଆଭରେଜରେ ୧୧୬୪ ରନ୍‌ ସଂଗ୍ରହ କରିଛନ୍ତି। ଶେଷଥର ପାଇଁ ସେ ୨୦୧୮ ଜାନୁୟାରୀରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଏହାପରେ ସେ କହୁଣିଜନିତ ଏବଂ ଆଙ୍ଗୁଠି ସମସ୍ୟା କାରଣରୁ ବାଦ୍‌ ପଡ଼ିଥିଲେ। ତାଙ୍କ ଅନୁପସ୍ଥିତିରେ ସୁଯୋଗ ପାଇଥିବା ଦିଲ୍ଲୀ ଉଇକେଟ୍‌କିପର ପନ୍ତ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଗୋଟିଏ ଲେଖାଏ ଶତକ ହାସଲ କରି ଚର୍ଚ୍ଚାର ପରିଧିକୁ ଆସିଥିଲେ। ଏହାପରେ ୨୧ ବର୍ଷୀୟ ପନ୍ତ ଟେଷ୍ଟ ଫର୍ମାଟ୍‌ରେ ଭାରତ ପାଇଁ ପସନ୍ଦର ଉଇକେଟ୍‌କିପର ବନି ଯାଇଥିଲେ। କିନ୍ତୁ ନିକଟ ଅତୀତରେ ପନ୍ତଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି।

Share