ପପଙ୍ଗା ବନବିହାର ଯାତ୍ରା ବାତିଲ : ଗାଁ ବୁଲିବେନି ପ୍ରଭୁ ବୁଢ଼ାରଜା

ଭେଡ଼େନ, ୮ା୪(ଡ଼ି.ଏନ.ଏ.)-ବରଗଡ଼ ଜିଲା ଭେଡ଼େନ ବ୍ଳକ ଅନ୍ତର୍ଗତ ପପଙ୍ଗା ପାହାଡ଼ରେ ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣମୀ ପରଦିନ ହେବାକୁ ଥିବା ପ୍ରଭୁ ବୁଢ଼ାରଜା ଓ କ୍ଷେତ୍ରପାଲଙ୍କ ବନବିହାର ଯାତ୍ରା ଚଳିତ ବର୍ଷ ହେବନାହିଁ। କରୋନା ମହାମାରି ଯୋଗୁ ସାରା ଦେଶରେ ଲାଗିଥିବା ଲଗଡ଼ାଉନ ପରିପ୍ରେକ୍ଷୀରେ ତଥା ବରଗଡ଼ ସବଡ଼ିଭିଜନରେ ୧୪୪(ଖ) ଧାରା ବଳବତ୍ତର ଥିବାରୁ ଏହି ଯାତ୍ରା ହେବନାହିଁ। ଏଥିପାଇଁ ମଙ୍ଗଳବାର ପପଙ୍ଗା ପାହାଡ଼ ପାଦଦେଶରେ ଥିବା ପାନ୍ଥନିବାସ ପରିସରରେ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ଭେଡ଼େନ ତହସିଲଦାର ସୀମା ସବିତା କୁଲୁ, ଭେଡ଼େନ ଥାନା ଆଇଆଇସି ହେମନ୍ତ ରାଓ, ବ୍ଳକ ଉପାଧ୍ୟକ୍ଷା ସୁପ୍ରଭା ପ୍ରଧାନ, ପପଙ୍ଗା ସରପଞ୍ଚ ପୁରୁଷୋତ୍ତମ ସାହୁ, ସମିତି ସଭ୍ୟ ମନୋଜ ପ୍ରଧାନ, ବୁଢ଼ାରଜା ମନ୍ଦିରର ପୂଜକ ଭବାନୀ ଦେହେରୀ, ଡ଼ାକ୍ତର ଦେହେରୀ, ଅଜିତ ଦେହେରୀ, ରୁଷୁଡ଼ା କ୍ଷେତ୍ରପାଲ ମନ୍ଦିରର ପୂଜକ ମାଧୁ ଦେହେରୀ, ଖମାର ଦେହେରୀ, ସାମାଜିକ କର୍ମୀ ସୁରେନ୍ଦ୍ର କର୍ମୀ ଏବଂ ଗ୍ରାମବାସୀ ଯୋଗଦେଇଥିଲେ। କୌଣସି ବ୍ୟକ୍ତି ତଥା ଭକ୍ତଙ୍କୁ ମନ୍ଦିର ତଥା ପାହାଡ଼କୁ ଯିବାକୁ ବାରଣ କରାଯାଇଛି। ତେବେ ଭକ୍ତମାନେ ନିଜ ଘରେ ରହି ପ୍ରଭୁ ବୁଢ଼ାରଜାଙ୍କୁ ପୂଜା କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Share