କେନ୍ଦୁଝର,୧।୧୪:(ନରେଶ ଚନ୍ଦ୍ର ପଟ୍ଟନାୟକ): ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପାଣୁପଶି ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା କରାଯାଇଛି। ମୃତକହେଲେ ପାଣୁପଶି ଗ୍ରାମର ସୁବ୍ରତ ମହାକୁଡ। ଘଟଣାସ୍ଥଳରେ ଘଟଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରକିଆ ପ୍ରୀତିକୁ ନେଇ ଏହି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପରିବାର ଲୋକଙ୍କ କହିବା ଅନୁସାରେ ସୋମବାର ରାତି ୭ଟା ସମୟରେ ସୁବ୍ରତ ଘରୁ ଆସିଥିବା ବେଳେ ବୁଧବାର ସକାଳେ ତାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଛି। ତେବେ ଗାଁର ପ୍ରଶାନ୍ତ ନାୟକଙ୍କ ଘର ପାଖରେ ମୃତଦେହଟି ପଡ଼ିଥିବା ବେଳେ ପ୍ରଶାନ୍ତ ନାଏକ ଓ ଅଜୟ ନାଏକ ଦୁଇ ଭାଇ ମିଶି ହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି।
ଅନ୍ୟପକ୍ଷରେ ଦୋଷୀକୁ ଫାଶୀ ଦିଆଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି। ଘଟଣାସ୍ଥଳରେ ଘଟଗାଁ ଥାନାଧିକାରୀ ସୁଭ୍ରାନ୍ତ କୁମାର ଜେନା ପହଞ୍ଚି ସାଇଣ୍ଟିଫିକ ଟିମ୍ ନେଇ ଘଟଣାର ତଦନ୍ତ କରିବା ସହ ମୃତଦେହକୁ ଉଦ୍ଧାର କରିଥିବା ସୂଚନା ମିଳିଛି।