Categories: ଅପରାଧ

ପରକୀୟା ପ୍ରୀତି ସନ୍ଦେହ : ସ୍ତ୍ରୀକୁ ମାରିଦେବାକୁ ଉଦ୍ୟମ, ସ୍ବାମୀ କୋର୍ଟ ଚାଲାଣ

ରସୁଲପୁର,୭ା୬ (ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ବଡକଇଁଚି ପଞ୍ଚାୟତ ପାଞ୍ଚଗୋଛିଆ ଗ୍ରାମରେ ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ସ୍ବାମୀଙ୍କୁ ଗୁରୁବାର ପୋଲିସ କୋର୍ଟଚାଲାଣ କରିଛି। ଅଭିଯୁକ୍ତ ସ୍ବାମୀ ହେଲେ ପ୍ରଶାନ୍ତ ତରେଇ।
ପ୍ରକାଶ ଯେ, ସ୍ତ୍ରୀଙ୍କ ପରକୀୟା ପ୍ରୀତିକୁ ନେଇ ପ୍ରଶାନ୍ତ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା। ମଙ୍ଗଳବାର ରାତିରେ ସ୍ତ୍ରୀକୁ ଜୀବନରୁ ମାରିଦେବା ପାଇଁ ପ୍ରଶାନ୍ତ ଚେଷ୍ଟା କରିଥିଲେ। ସ୍ତ୍ରୀଙ୍କୁ ଛାତ ଉପରକୁ ଡାକି ନେଇ ତାଙ୍କ ଗୋଡକୁ ଏକ କାଠଫାଳିଆରେ ମାଡ ମାରିବା ସହ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିଲେ। ସେଥିରେ ବିଫଳ ହେବାରୁ ଏକ ଧାରୁଆ ଅସ୍ତ୍ରରେ ମାରିବାକୁ ଚେଷ୍ଟା କରିଥିଲେ। ଏଥିରେ ତାଙ୍କ ସ୍ତ୍ରୀ ଡରିଯାଇ ଚିତ୍କାର କରିଥିଲେ। ପଡୋଶୀ ଘର ଲୋକେ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ। ଅଭିଯୁକ୍ତ ସ୍ବାମୀ ଘଟଣାସ୍ଥଳରୁ ଖସି ପଳାଇଥିଲେ। ପରିବାର ଲୋକଙ୍କ ପକ୍ଷରୁ ଆହତ ମହିଳାକୁ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏ ନେଇ କୁଆଖିଆ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ମୁତାବକ ପୋଲିସ ଏକ ମାମଲା (ନଂ.୧୫୮/୧୯) ରୁଜୁ କରିଥିଲା। ବୁଧବାର ରାତିରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଥିଲା। ଏସଆଇ ଅନିତା ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି।