ପରଜଙ୍ଗରେ ଥମୁନି ହାତୀ ଆତଙ୍କ; ଯୁବକଙ୍କୁ ଦାନ୍ତରେ ଭୁସିଦେଲା ଦନ୍ତା

ପରଜଙ୍ଗ, ୧୧।୧୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳରେ ହାତୀ ଆତଙ୍କ ଚରମସୀମାରେ ପହଞ୍ଚତ୍ଛି। ଜନବସତିରେ ହାତୀପଲର ଉପଦ୍ରବ ଏବଂ ଆକ୍ରମଣରେ ବ୍ୟାପକ ଧନଜୀବନ ହାନି ହେଉଛି। ରବିବାର ସନ୍ଧ୍ୟାରେ ପାଟରପଦା ମେଡ଼ିକାଲ ନିକଟରେ ଏକ ଦନ୍ତା ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ କଟାବାହାଳ ଗ୍ରାମର ସୁଦର୍ଶନ ଦାସ (୩୬)। ସୁଦର୍ଶନ ଶୌଚ ହେବାକୁ ଯାଉଥିବା ବେଳେ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲା। ସେ ପ୍ରାଣବିକଳରେ ଦୌଡ଼ି ପଳାଉଥିବାବେଳେ ହାତୀଟି ତାଙ୍କ ଡାହାଣ ଗୋଡ଼କୁ ଦାନ୍ତରେ ଭୁସି ଦେଇଥିଲା। ଏଥିସହ ଛାତି ଉପରେ ଚଢ଼ିଯାଇ ପଳାଇଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରିବା ସହ ୧୦୮ ଆମ୍ବୁଲାନ୍ସରେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଡିହଡୋଳ ଫରେଷ୍ଟର ରାମଚନ୍ଦ୍ର ରାଉତ ଗୁରୁତରଙ୍କ ଚିକିତ୍ସା ପାଇଁ ୫ ହଜାର ଟଙ୍କା ସହାୟତା ଦେଇଛନ୍ତି। ମହାବିରୋଡ଼ ରେଞ୍ଜର ସୁବ୍ରତ ବେହେରା, ଗାର୍ଡ ଲୁସ୍ମିତା ସିଂ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚତ୍ ତଦନ୍ତ କରିଛନ୍ତି।
ଗ୍ରାମବାସୀଙ୍କ କହିବା କଥା, ଅଞ୍ଚଳରେ ଦିନକୁ ଦିନ ହାତୀ ଆତଙ୍କ ବଢ଼ିଚାଲିଛି। ସେମାନଙ୍କୁ ଘଉଡ଼ାଇବାକୁ ଯାଇ ବନ ବିଭାଗ ବାଣ ମାରୁଛି। ଏଥିରେ ହାତୀପଲ ଅଧିକ ହିଂସ୍ର ହୋଇଉଠୁଛନ୍ତି। ଅଞ୍ଚଳରେ ୧୧୫ରୁ ଊର୍ଦ୍ଧ୍ୱ ହାତୀ ବିଭିନ୍ନ ପଲରେ ବିଭକ୍ତ ହୋଇ ବିଚରଣ କରୁଛନ୍ତି। ହାତୀ ଉପସ୍ଥିତି ସମ୍ପର୍କରେ ସୂଚନା ଦେଲେ ବନ କର୍ମଚାରୀ ପହଞ୍ଚୁନାହାନ୍ତି। ଫଳରେ କ୍ଷୟକ୍ଷତି ପରିମାଣ ବଢ଼ିବାରେ ଲାଗିଥିବା ସେମାନେ ଅଭିଯୋଗ କରିଛନ୍ତି। ହାତୀପଲକୁ ଅନ୍ୟତ୍ର ଘଉଡ଼ାଇବା ବ୍ୟବସ୍ଥା ନ କଲେ ବାଧ୍ୟ ହୋଇ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ହାତୀ ଘଉଡ଼ାଇବାକୁ ବାଣ ମରାଯାଇଥିବା ସମ୍ପର୍କରେ ରେଞ୍ଜର କୁହନ୍ତି, ତାଙ୍କ ଅଜାଣତରେ ଏପରି ହୋଇଥାଇପାରେ। ଏ ନେଇ ସେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି।