ପରଦାରେ ବିଶ୍ୱରୂପ

ଆକ୍ସନଭିତ୍ତିକ ଓଡିଆ ସିନେମା ‘ବିଶ୍ୱରୂପ-ବର୍ନ ଟୁ ଫାଇଟ୍‌’ ଚଳିତ ମାସ ୧୩ ତାରିଖରେ ପରଦା ଉପରକୁ ଆସୁଛି। ଚଳଚ୍ଚିତ୍ରର ମେଲ୍‌ ଲିଡ୍‌ରେ ଅଭିନୟ କରିଥିବା କଳାକାରଙ୍କର ନାମ ଯାହା ଫିଲ୍ମର ଟାଇଟଲ ମଧ୍ୟ ସେଇଆ। ସେ ହେଲେ ବିଶ୍ୱରୂପ। କଥା କ’ଣ ଏହି ଫିଲ୍ମର ନାୟକ ସାଜିଛନ୍ତି ସେ। ଜଣେ ଫାଇଟର କିପରି ବିଭିନ୍ନ ପ୍ରକାର ଝଡ଼ଝଞ୍ଜାକୁ ସାମ୍‌ନା କରି ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହେଉଛି ତାହା ସିନେମାରେ ଦେଖିବାକୁ ମିଳିବ। ଏ.ବି. କ୍ରିଏସନ୍ସ ବ୍ୟାନରରେ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ବିଶ୍ୱଜିତ ମିଶ୍ର। ଅନ୍ୟପକ୍ଷରେ ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି ‘ପ୍ରେମ ନିଶା ନିଆରା ନିଆରା’, ‘ତୋ ପ୍ରେମରେ ପଡ଼ିଲା ପରେ’ ଏବଂ ‘ଚାଲ୍‌ ଟିକେ ପ୍ରେମ କରିବା’ର ନିର୍ଦ୍ଦେଶକ ସରୋଜ କାନ୍ତ। ମନୋରଞ୍ଜନ ଦାସ ସଂଳାପ ରଚନା କରିଥିବାବେଳେ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ବିଭୂତି ଭୂଷଣ ଗଡ଼ନାୟକ। ଏହି ଫିଲ୍ମରେ ବିଶ୍ୱରୂପଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ନବାଗତା ଅମ୍ରିତା। ଏହି ନୂଆ ଯୋଡି ବ୍ୟତୀତ ମନୋଜ ମିଶ୍ର, ତନୁଷ୍କା, ଶିବ୍‌, ରକ୍‌ ପାତ୍ର, ଶ୍ୱେତା ଆଚାର୍ଯ୍ୟ, ଜୟା ସ୍ବାମୀ, ଦେବୀ ବାରିକ, କାଳି ଏବଂ ଶିଶୁ କଳାକାର ଓମ୍‌। ତେବେ ଫିଲ୍ମଟି ଦର୍ଶକଙ୍କୁ କେତେ ଏଣ୍ଟରଟେନ କରୁଛି ତାହା ଦେଖିବାକୁ ବାକି ରହିଲା।

Share