ପରଦା ପଛରେ: ଶ୍ରୀଧର ଯାହା ଚାହୁଁଥିଲେ..

ଜଣେ ପ୍ରଯୋଜକ ସିନେମାଟିଏ ନିର୍ମାଣ କରିବା ପୂର୍ବରୁ ଅନେକ କିଛି ଚିନ୍ତା କରିଥାଆନ୍ତି। ହେଲେ ଏ ପର୍ଯ୍ୟନ୍ତ ଦୁଇଟି ସିନେମା- ‘କଥା ଦେଲି ମଥା ଛୁଇଁ’ ଏବଂ ‘ଯୋଗୀ’ ପ୍ରଯୋଜନା କରିବା ପରେ ତାଙ୍କ ମନରେ ରହିଛି ଅନେକ ନୂଆ ଯୋଜନା। ଆଉ ସେଥିରୁ ଅନେକାଂଶକୁ ସେ ରୂପାୟିତ କରିଛନ୍ତି ରିଲିଜ ଅପେକ୍ଷାରେ ଥିବା ଦ୍ୱିଭାଷୀ ଫିଲ୍ମ ‘ପାଟଣାଗଡ଼’ରେ। ସେ ହେଲେ ପ୍ରଯୋଜକ ଶ୍ରୀଧର ମାର୍ଥା। ନିଜର ଆଭିମୁଖ୍ୟ ସମ୍ପର୍କରେ ସେ କହନ୍ତି, ‘କେବଳ ପ୍ରଯୋଜକ ହେବା ପରେ ନୁହେଁ, ପୂର୍ବରୁ ମୁଁ ଅନେକ ଓଡ଼ିଆ ସିନେମା ଦେଖି ଚଳଚ୍ଚିତ୍ରଟିଏ ପ୍ରଯୋଜନା କରିବା ପୂର୍ବରୁ କେଉଁ ବିଷୟକୁ ଅଧିକ ଗୁରୁତ୍ୱ ଦିଆଯିବା ଦରକାର ତାହା ଶିଖିଛି। ମାର ତାଳି ଉଠା ଥାଳି ମାନସିକତା ନେଇ ମୁଁ ପ୍ରଯୋଜକ ହେବାକୁ ଆସିନି। ଏଭଳି ଓଡ଼ିଆ ସିନେମା ନିର୍ମାଣ କରିବି ଯାହାକୁ ଦର୍ଶକ ମନେ ରଖିବେ। ତେଣୁ ଏକ ସାମ୍ପ୍ରତିକ ଘଟଣାକୁ ନେଇ ‘ପାଟଣାଗଡ’ ପ୍ରସ୍ତୁତ ହୋଇଛି। ପୂର୍ବରୁ ଯେଉଁ ଦୁଇଟି ସିନେମା ନିର୍ମାଣ କରିଛି ସେଥିରୁ ଅନେକ କିଛି ଶିଖିଛି। ତେଣୁ ଆଗାମୀ ସିନେମାକୁ କିପରି ସରସ ସୁନ୍ଦର କରାଯାଇପାରିବ ତା’ ଉପରେ ନିଶ୍ଚୟ ଗୁରୁତ୍ୱ ଦେବି।’ ଶ୍ରୀଧରଙ୍କ ହୋମ୍‌ ବ୍ୟାନର ରେଞ୍ଜ ରୟାଲ ସିନେ ଲ୍ୟାବ୍‌ରେ ପ୍ରସ୍ତୁତ ‘ପାଟଣାଗଡ଼’ର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଜାତୀୟ ପୁରସ୍କାରପ୍ରାପ୍ତ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ନିର୍ଦ୍ଦେଶକ ରାଜେଶ ଟଚ୍‌ରିଭର। ଚିତ୍ରଟିର ବିଭିନ୍ନ ଭୂମିକାରେ ମନୋଜ ମିଶ୍ର, ବଲିଉଡ୍‌ ଅଭିନେତା ଅତୁଲ କୁଲକର୍ଣ୍ଣି, ଅନୁ ଚୌଧୁରୀ ପ୍ରମୁଖ କଳାକାର ଅଭିନୟ କରିଛନ୍ତି।

Share