ପରମିଟ୍‌ ପାସ୍‌ ସାଜିଛି ପ୍ରତିବନ୍ଧକ: ମଣ୍ଡିରୁ ଉଠୁନି ଧାନ

କର୍ଲାମୁଣ୍ଡା, (ଡି.ଏନ୍‌.ଏ)୧୫।୨: ପରମିଟ୍‌ ପାସ ବନ୍ଦ ହେବା ଯୋଗୁ ବିଭିନ୍ନ ମଣ୍ଡିରେ ଚାଷୀଙ୍କ ଧାନ ଉଠିବାରେ ସମସ୍ୟା ଦେଖାଦେଇଛି। ଏଭଳି ସମସ୍ୟା କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର କର୍ଲାମୁଣ୍ଡା ସମବାୟ ସମିତି ଜରିଆରେ ଖୋଲିଥିବା ମଣ୍ଡିରେ ମଧ୍ୟ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଟୋକନ୍‌ ପାଇଥିବା ଚାଷୀ ଜାନୁୟାରୀ ୨୫ରୁ ମଣ୍ଡିରେ ଧାନ ପକେଇଥିଲେ । ତେବେ ଦୀର୍ଘ ଦିନ ବିତିଥିଲେ ହେଁ ଧାନ ଉଠାଇବାର ବ୍ୟବସ୍ଥା ହେଉ ନ ଥିବାରୁ ଚାଷୀମାନେ ଶୀତ କାକରରେ ମଣ୍ଡିରେ ଧାନବସ୍ତା ଜଗି ପଡ଼ି ରହିଥିବା ଦେଖିବାକୁ ମିଳିଛି। ୧୦୭ ଜଣ ଚାଷୀଙ୍କ ମୋଟ ୬,୭୫୩ କୁଇଣ୍ଟାଲ ଧାନ ପଡିଥିବା ବେଳେ ଟୋକନ ପାଇ ନ ଥିବା ୫୦ ଜଣ ଚାଷୀଙ୍କ ୧୪୦୦ କୁଇଣ୍ଟାଲ ଧାନ ମଣ୍ଡିରେ ପଡିଥିବା ସୂଚନା ମିଳିଛି। ତେବେ ପରମିଟ୍‌ ପାସ ବନ୍ଦ ରହିଥିବାରୁ ଧାନ ମଣ୍ଡିରୁ ଉଠିବା ସମସ୍ୟା ଦେଖାଦେଇଥିବା ସମବାୟ ସମିତି ସମ୍ପାଦକ ଭବାନୀ ଶଙ୍କର ସାହୁ କହିଛନ୍ତି। ଅନ୍ୟପଟେ ମଣ୍ଡିରୁ ଶୀଘ୍ର ଧାନ ଉଠାଇବାର ବ୍ୟବସ୍ଥା କରା ନ ଗଲେ ଆଗାମୀ ଦିନରେ ଚାଷୀମାନେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି। ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।

Share