ଓଡ଼ିଆଙ୍କ ଖାଦ୍ୟ ଐତିହ୍ୟର ଅନ୍ୟତମ ବିଭବ ହେଉଛି ପଖାଳ। ଏହି ପରମ୍ପରା ଯଥା ଦେହେ ତଥା ଦେବେରେ ପରିଣତ ହୋଇଥିବାର ଦେଖାଯାଏ। ଏହି ପରମ୍ପରା ଓଡ଼ିଶାର ଆପଣା ପଣିଆର ଐତିହ୍ୟ। ପରମେଶ୍ୱରଙ୍କ ଭୋଗରେ ସ୍ଥାନ ପାଇଥିବା ପଖାଳ ତା’ର ଏକ ଉଦାହରଣ ମାତ୍ର। ଦିନେ ଗଜପତି ଖଞ୍ଜି ଦେଇଥିଲେ ପଖାଳ ପାଇଁ ଦୁଇପ୍ରକାର ସେବକ। ଜଣେ ତୁଣ ସୁଆର ଓ ଅନ୍ୟ ଜଣେ ଥାଳି ସୁଆର। ୫ ପ୍ରକାର ପଖାଳ ଖଞ୍ଜା ରହିଛି ଭୋଗରେ। କେତେବେଳେ ଚିପୁଡ଼ା-ପଖାଳ ତ କେତେବେଳେ ଟଭା ପଖାଳ। ଆଉ ଏହା ସହିତ ଋତୁ ଅନୁଯାୟୀ ବଢାଯାଏ ସୁବାସିିତ ପଖାଳ, ଦହି ପଖାଳ ଓ ଘିଅ ପଖାଳ। ଓଡ଼ିଶାର ପ୍ରଚଳିତ ‘ପଖାଳ ଭାତରେ ଘି’ ଲୋକ ଉକ୍ତିଟି ମହାପ୍ରଭୁଙ୍କ ଘିଅ ପଖାଳ ପରମ୍ପରାରୁ ସୃଷ୍ଟି।
ଦିପହର ବେଳାରେ ଅଦାପାତି ଓ ଭଜା ଜିରା ଦିଆଯାଇ ଭୋଗରେ ବଢାଯାଏ ଚିପୁଡା ପଖାଳ। ଏହାସହିତ ସାମିଲ ହୋଇଥାଏ ଟଭା ପଖାଳ। ଅନ୍ନରେ ଟଭା (କମଳା ଲେମ୍ବୁ ଜାତୀୟ) ରସ ଦିଆଯାଇ ଲୁଣ, ଜିରା ଓ ଅଦା ମିଶାଯାଏ। ସାମାନ୍ୟ ପାଣି ଦିଆଯାଇ ଏହାକୁ ପ୍ରସ୍ତୁତ କରାଯାଏ। ଏହି ପଖାଳ ପ୍ରଭୁଙ୍କର ପ୍ରିୟ ବୋଲି ପ୍ରାଚୀନ କଥା ରହିଛି। ପଖାଳରେ ପୁଣି ଲବଙ୍ଗ ଓ ଗୋଲମରିଚ! ତା ସହିତ ଭଜା ଜିରା ଓ ଅଦା ମିଶାଯାଇ ପ୍ରସ୍ତୁତ ହୁଏ ସୁବାସିିତ ପଖାଳ। ଏହା ପରମେଶ୍ୱରଙ୍କର ମଧ୍ୟ ଦି-ପହର ବେଳାର ଖାଦ୍ୟ। ସନ୍ଧ୍ୟା ବେଳେ ବଢାଯାଏ ଦହି ପଖାଳ। ଶେଷକୁ ବଢାଯାଏ ଘିଅ ପଖାଳ। ଭଜା ଜିରା ଓ ଅଦା ସହିତ ମିଶାଯାଏ ଘିଅ। ବଡ଼-ସିଂହାର ଧୂପରେ ସବୁଠାରୁ ଅଧିକ ଆକର୍ଷଣୀୟ ଏହି ଘିଅ ପଖାଳ। ପୁରୁଣା କାଳରୁ ଖଞ୍ଜାଯାଇଛି ଏହି ପଖାଳ ପରମ୍ପରା। କେହି କେହି କେଶରୀବଂଶ ରାଜୁତି କାଳରେ ଘିଅ ପଖାଳ ବ୍ୟବସ୍ଥା କରାଯାଇଥିଲା ବୋଲି ସମ୍ଭାବନା କରନ୍ତି, ପୁଣି ପଖାଳ ଭୋଗ ବି ବାରଣ ଅଛି ଶ୍ରୀମନ୍ଦିରରେ। ସ୍ନାହାନ ପୁନିଅଁ ରାତିରୁ ନିଳାଦ୍ରୀବିଜେ ପରଦିନ ପର୍ଯ୍ୟନ୍ତ ମହାପ୍ରଭୁ ପଖାଳ ଖାଆନ୍ତି ନାହିଁ। ଜର ହୋଇଯାଇଛି ତ!
– ଡ. ସୁରେନ୍ଦ୍ର କୁମାର ମିଶ୍ର