ଆରଡ଼ି, ୨୪।୧୦ (ଡି.ଏନ୍.ଏ.)-ଦୀପାବଳି ଦିନ ସବୁ ଘରେ କାଉଁରିଆ କାଠି ଆବଶ୍ୟକ ପଡ଼ିଥାଏ। ରାତିରେ ଗଁ।ଦାଣ୍ଡରେ ପୂର୍ବପୁରୁଷଙ୍କୁ ପିଣ୍ଡ ଦେବା ପରେ ଏହାକୁ ଜାଳି ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ବଡ଼ବଡ଼ିଆଙ୍କୁ ଡାକିଥାନ୍ତି। ଏହି କାଉଁରିଆ କାଠି ହେଉଛି ପିତୃପୁରୁଷଙ୍କୁ ଆହ୍ବାନ କରିବାର ମାଧ୍ୟମ। ଏକଦା ଭଦ୍ରକ ଜିଲାର ଆରଡ଼ି ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଚୁର ପରିମାଣରେ ନଳିତାଚାଷ ହେଉଥିଲା। ଝୋଟର ଚାହିଦା କମିଯିବାରୁ ଏବେ ଆଉ ନଳିତାଚାଷ କରାଯାଉ ନାହିଁ ା ଏଣୁ ଦୀପାବଳି ଲାଗି କାଉଁରିଆ କାଠି ଏ ଅଞ୍ଚଳରେ ଦୁର୍ଲଭ ହୋଇପଡିଛି। ବେପାରୀମାନେ ଅନ୍ୟ ଅଞ୍ଚଳରୁ ଆଣି ଏଠାରେ କାଉଁରିଆ କାଠି ବିକ୍ରି କରୁଛନ୍ତି। ୪ରୁ ୫ଟି କାଠିକୁ ନେଇ ପ୍ରସ୍ତୁତ ହେଉଥିବା ବିଡ଼ାର ମୂଲ୍ୟ ୧୦ ଟଙ୍କା ରହିଛି ା ଏ ସମ୍ପର୍କରେ କୁଳେଇପଦା ଗଁାର ୯୦ ବର୍ଷୀୟ ଦୁର୍ଯ୍ୟୋଧନ ବିଶ୍ୱାଳ ଏବଂ ଅଧ୍ୟାପକ ଦିଲୀପ ମହାନ୍ତି ପ୍ରମୁଖ କହିଛନ୍ତି, କାଉଁରିଆ କାଠି ପବିତ୍ରତାର ପ୍ରତୀକ ା ପାରମ୍ପରିକ ନଳିତାଚାଷ ବୁଡିଯିବାରୁ ଏହା ଆମ ପରମ୍ପରାକୁ ପ୍ରଭାବିତ କରୁଛି। ଏଣୁ ନଳିତାଚାଷର ବିକାଶ କରାଯିବା ଜରୁରୀ। ଆଗରୁ ଚାଷୀ ଜମିରେ ଚାଷ କରୁଥିବା ନଳିତାକୁ କାଟି ଏହାକୁ ଶୁଖାଇ ପଙ୍କରେ ପୋତି ଦେଉଥିଲେ। ୮ରୁ ୧୦ ଦିନ ପରେ ପୋତାଯାଇଥିବା ନଳିତା ବିଡ଼ାକୁ ଆଣି ଝୋଟ ଅମଳ କରାଯାଉଥିଲା। ଝୋଟରୁ ବାଣି କାଟି ଲଙ୍ଗଳ ଦଉଡି, ଶିକା ଆଦି ପ୍ରସ୍ତୁତ କରାଯାଉଥିଲା। ମଶିଣା, ଖଇଁଚି ବୁଣାଯାଉଥିଲା ା ଝୋଟ ଅମଳ ପରେ ଯେଉଁ ଖାଡ଼ି ରହୁଥିଲା ତାହା କାଉଁରିଆ କାଠି ବା ପିମ୍ପେଇଖାଡ଼ି କୁହାଯାଏ। ନଳିତାଚାଷ ନ ହେବାରୁ ଏବେ ପିମ୍ପେଇଖାଡ଼ିର ଅଭାବ ଦେଖାଦେଇଛି।