ପରମ୍ପରା ଉପରେ କରୋନା ଅଙ୍କୁଶ

ସର୍ବଧର୍ମ ସମନ୍ବୟର ପ୍ରତୀକ ବରାହ-ବିରଜା କ୍ଷେତ୍ରର ସଂସ୍କୃତି, ପରମ୍ପରା ଓ ଐତିହାସିକ ପୀଠଗୁଡ଼ିକର ଅନେକ ପ୍ରସିଦ୍ଧ କାର୍ଯ୍ୟକ୍ରମ ଉପରେ କରୋନା ଅଙ୍କୁଶ ଲାଗିଛି। ଫଳରେ ଚଳିତ ବର୍ଷ ବାରୁଣୀ ମେଳା, ବାରବାଟୀ ବିଶ୍ୱଶାନ୍ତି ମହାଯଜ୍ଞ, ଶଙ୍ଖଚିଲା ହିଙ୍ଗୁଳା ଯଜ୍ଞ, ରାଛିପୁର ଶନିଶ୍ଚର ମେଳା ଭଳି ଅନେକ ପ୍ରସିଦ୍ଧ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ ହୋଇଛି। ଭାରତରେ କରୋନା ଭାଇରସ କ୍ରମଶଃ ଭୟଙ୍କର ରୂପ ଧାରଣା କରୁଥିବାରୁ ଜିଲା ପ୍ରଶାସନ ପକ୍ଷରୁ କିପରି ତାହାର ସଫଳ ମୁକାବିଲା କରାଯାଇପାରିବ ସେ ନେଇ ବିଭିନ୍ନ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ଜିଲାବାସୀ ସାଦରେ ଗ୍ରହଣ କରି ନିରାଡମ୍ବରଭାବେ ମେଳା ଓ ମହୋତ୍ସବ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଶେଷଭାବେ ବାରୁଣୀ ମେଳା ପ୍ରଭାବିତ ହେବା ଜିଲା ତଥା ରାଜ୍ୟ ବାହାରର ଲକ୍ଷାଧିକ ଭକ୍ତଙ୍କୁ ବ୍ୟଥିତ କରିଛି। ବିରଜା କ୍ଷେତ୍ରରେ ପ୍ରବାହିତ ବୈତରଣୀରେ ପ୍ରତିବର୍ଷ ବାରୁଣୀ ସ୍ନାନ ଯୋଗ ପଡ଼ିବା ଗୋଟିଏ ବିଶେଷ ଉଲ୍ଲେଖଯୋଗ୍ୟ ଘଟଣା। ଏଥିପାଇଁ ଓଡ଼ିଶାର ପୁରପଲ୍ଲୀ ତଥା ଭାରତର ବିଭିନ୍ନ ଅଞ୍ଚଳରୁ ଧର୍ମପ୍ରାଣ, ଈଶ୍ୱରବିଶ୍ୱାସୀ, ତୀର୍ଥପ୍ରେମୀ, ସାଧୁ ସନ୍ନ୍ୟାସୀ, ଅସଂଖ୍ୟ ଯାତ୍ରୀ ଏହି ସ୍ଥାନରେ ଏକାଠି ହୁଅନ୍ତି। କିନ୍ତୁ ଚଳିତ ବାରୁଣୀ ମେଳା ଆୟୋଜନକୁ କରୋନା ଭୂତାଣୁ ଗ୍ରାସ କରି ସାରିଛି। ସେହିପରି ବଡ଼ଚଣା ବ୍ଲକ ପଲେଇ ବାରବାଟୀ ପଡ଼ିଆରେ ରାମ ନବମୀଠାରୁ ୭ଦିନ ପର୍ଯ୍ୟନ୍ତ ବାରବାଟୀ ବିଶ୍ୱଶାନ୍ତି ମହାଯଜ୍ଞ ପ୍ରତିବର୍ଷ ମହାଡ଼ମ୍ବରରେ ଅନୁଷ୍ଠିତ ହୋଇଥାଏ। ଏହାବାଦ୍‌ ଶଙ୍ଖଚିଲା ହିଙ୍ଗୁଳା ଯଜ୍ଞ ଏକ ଅନନ୍ୟ ପରମ୍ପରା। ୫ଦିନ ଧରି ଅନୁଷ୍ଠିତ ହେଉଥିବା ହିଙ୍ଗୁଳା ଯଜ୍ଞ ସମୟରେ ଆଖପାଖ ୧୦ କି.ମି. ପରିଧି ପର୍ଯ୍ୟନ୍ତ ଗୋଟିଏବେଳା ରନ୍ଧା ହୋଇଥାଏ ଏବଂ ଆମିଷ ଖାଇବାକୁ ବାରଣ କରାଯାଏ। ରାଛିପୁର ଶନିଶ୍ଚର ମେଳା, ସିଂହାପୁର ଯାତ୍ରା ଅନ୍ୟ ଏକ ପ୍ରସିଦ୍ଧ ଯାତ୍ରା। କିନ୍ତୁ ଏହି ପବିତ୍ର ଯାନିଯାତ୍ରା ଉପରେ ମଧ୍ୟ କରୋନା ମାଡ଼ ପଡ଼ିବାର ସମ୍ଭାବନା ରହିଛି।

– ହର୍ଷବର୍ଦ୍ଧନ ବେହେରା

Share