ଖଣ୍ଡପଡା,୩ା୯(ସ୍ବ.ପ୍ର.): ଭାଦ୍ର ଶୁକ୍ଳପକ୍ଷ ତୃତୀୟା ତିଥି ରବିବାର କଣ୍ଟିଲୋ ନୀଳମାଧବ ପୀଠରେ ବାଲି ତୃତୀୟା ବ୍ରତ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ବିବାହିତା ମହିଳାମାନେ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଥାନ୍ତି । କେତେକ ସ୍ଥାନରେ ଅବିବାହିତ ଝିଅମାନେ ସର୍ବଗୁଣ ସମ୍ପନ୍ନ ସ୍ବାମୀ ପାଇବା ପାଇଁ ଏହା ପାଳିଥାନ୍ତି। ବ୍ରତ ଧାରିଣୀ ନିଷ୍ଠାର ସହ ତୃତୀୟା ସୂର୍ଯ୍ୟୋଦୟଠାରୁ ୪ର୍ଥୀ ପ୍ରତ୍ୟୁଷ ପର୍ଯ୍ୟନ୍ତ ଉପବାସ ରହିଥାନ୍ତି। ଏହି ସମୟରେ ସେମାନେ ଜଳପାନ ମଧ୍ୟ କରି ନ ଥାନ୍ତି। କିମ୍ବଦନ୍ତୀ ଅନୁଯାୟୀ ମା’ ପାର୍ବତୀ ମୃତ୍ୟୁଞ୍ଜୟୀ ଶିବଙ୍କୁ ପତି ରୂପେ ପାଇବା ପାଇଁ କୈଳାସ ପର୍ବତରେ ନିଜ ଚାରି ପାଖରେ ଅଗ୍ନି ସଂଯୋଗ କରି କଠୋର ତପସ୍ୟା କରିଥିଲେ ଏଥିରେ ଶିବ ସନ୍ତୁଷ୍ଟ ହୋଇ ତାଙ୍କୁ ସ୍ତ୍ରୀ ଭାବେ ଗ୍ରହଣ କରିଥିଲେ । ସେହି ଅନୁଯାୟୀ ନାରୀମାନେ ବାଲି ତୃତୀୟା ସକାଳେ ନଦୀ କିମ୍ବା ପୁଷ୍କରିଣୀରେ ସ୍ନାନ କରି ସାତମୁଠା ବାଲି ଆଣିଥାନ୍ତି । ସେହି ବାଲିରେ ଜଳାଶୟ କୂଳରେ ଶିବ ଲିଙ୍ଗ ସ୍ଥାପନା କରି ପୂଜା କରିଥାନ୍ତି । ସ୍ଥାନୀୟ ଅଞ୍ଚଳର ଜଣେ ମହିଳା କୁହନ୍ତି, ସ୍ବାମୀଙ୍କ ମଙ୍ଗଳ କାମନା କରି ଆମେ ଏହି ବ୍ରତ ପାଳନ କରିଥାଉ । ରବିବାର ଅପରାହ୍ନରେ ମହିଳାମାନେ ନଦୀରେ ସ୍ନାନ ସାରି ନୂତନ ବସ୍ତ୍ର ପରିଧାନ ପୂର୍ବକ ଘର ଅଗଣା ତୁଳସୀ ଚଉରା ମୂଳେ ବାଲିରେ ଶିବ ଲିଙ୍ଗ ସ୍ଥାପନା କରିଥିଲେ ପରେ ବିଭିନ୍ନ ପୂଜା ସାମଗ୍ରୀ ରଖି ନିଷ୍ଠାର ସହ ଶିବଙ୍କୁ ପୂଜାର୍ଚ୍ଚନା କରିଥିଲେ। ସୋମବାର ସକାଳୁ ସେମାନେ ନଦୀରେ ବାଲୁକା ବିସର୍ଜନ କରି ସ୍ନାନ ସମ୍ପନ୍ନ କରି ବ୍ରତ ଉଦ୍ଯାପନ କରିଥିଲେ।