ପରଲୋକରେ ଅଭିନେତା କୁଶଲ ପଞ୍ଜାବୀ

ମୁମ୍ବାଇ,୨୭।୧୨: ଟେଲି କଳାକାର କୁଶଲ ପଞ୍ଜାବୀଙ୍କର ୩୭ବର୍ଷ ବୟସରେ ମୃତ୍ୟୁ ହୋଇଛି। ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଶୁକ୍ରବାର ଦ୍ୱିପ୍ରହରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି। ଗୁରୁବାର ରାତିରେ କୁଶଲଙ୍କ ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। କୁଶଲଙ୍କ ମୃତ୍ୟୁ ଖବର ନେଇ ପ୍ରଥମେ ଟେଲି ଅଭିନେତା କରନବୀର ବୋହରା ଇନ୍‌ଷ୍ଟାଗ୍ରାମ ଜରିଆରେ ସମସ୍ତଙ୍କୁ ଜଣାଇବା ସହ ଏକ ଭାବପ୍ରବଣ ପୋଷ୍ଟ କରିଥିଲେ। କୁଶଲଙ୍କ ଏହି ଆକସ୍ମିକ ମୃତ୍ୟୁ ପାଇଁ ଟେଲିଜଗତରେ ଶୋକର ଛାୟା ଖେଳିଯାଇଛି। ଏହି ଘଟଣା ସମସ୍ତଙ୍କୁ ଏକ ଶକ୍ତ ଧକ୍କା ଦେଇଛି। ସୂଚନାଯୋଗ୍ୟ, କୁଶଲ ଘରେ ଏକୁଟିଆ ଥିବା ବେଳେ ପରିବାରଲୋକ ତାଙ୍କୁ ଫୋନରେ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନଙ୍କର କୁଶଲଙ୍କ ସହ ସମ୍ପର୍କ ହୋଇପାରି ନ ଥିଲା। ଏହାପରେ ରାତି ସାଢ଼େ ୧୦ଟାରେ ପରିବାରଲୋକେ କୁଶଲ ରହୁଥିବା ବିଲ୍‌ଡିଂରେ ପହଞ୍ଚିଥିଲେ। ଘର କବାଟ ଭାଙ୍ଗି ଭିତରକୁ ପଶିବା ବେଳକୁ ସେମାନେ କୁଶଲଙ୍କୁ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏଥିସହ ପୋଲିସ ଘରୁ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି। ଆର୍ଥିକ ସମସ୍ୟା ଯୋଗୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଅପରପକ୍ଷେ କୁଶଲଙ୍କ ପାଖରେ କିଛି କାମ ନ ଥିବା ବେଳେ ଶେଷଥର ତାଙ୍କୁ ସିରିୟଲ ‘ଇସ୍କ ମେ ମରଜାଓ୍ବାଁ’ରେ ଦେଖିବାକୁ ମିଳିଥିଲା। ସେ ନିଜ କ୍ୟାରିୟର ପ୍ରଥମେ ଜଣେ ମଡେଲ ଭାବେ ଆରମ୍ଭ କରିଥିଲେ। ଏହାପରେ ଟେଲିଜଗତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିଲେ। ସେ କେତେକ ଫିଲ୍ମ ଓ ଶୋ’ରେ ମଧ୍ୟ କାମ କରିସାରିଛନ୍ତି। ତେବେ ତାଙ୍କ ବ୍ୟକ୍ତିଗତ ଜୀବନ କଥା କହିବାକୁ ଗଲେ ସେ ଜଣେ ୟୁରୋପିଆନ ଯୁବତୀଙ୍କୁ ୨୦୧୫ରେ ବିବାହ କରିଥିଲେ। ୨୦୧୬ରେ ତାଙ୍କର ଏକ ପୁତ୍ର ଜନ୍ମ ହୋଇଥିଲା।

Share