ପରଲୋକରେ ଅର୍ଥନୀତିଜ୍ଞ ବାସୁଦେବ ସାହୁ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ବରିଷ୍ଠ ଅର୍ଥନୀତିଜ୍ଞ, ଶିକ୍ଷାବିତ୍‌ ତଥା ଅବସରପ୍ରାପ୍ତ ଅର୍ଥନୀତି ପ୍ରଫେସର ବାସୁଦେବ ସାହୁଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ବାସଭବନରେ ସେ ରବିବାର ରାତିରେ ଇହଧାମ ତ୍ୟାଗ କରିଛନ୍ତି। ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା।
୧୯୩୪ ମସିହାରେ ଭଦ୍ରକ ଜିଲା ସାହାସପୁର ଗଁାରେ ଜନ୍ମଗ୍ରହଣ କରିଥିବା ବାସୁଦେବ ଭଦ୍ରକ କଲେଜରୁ ଅଧ୍ୟାପକ ଭାବେ ନିଜର ଶିକ୍ଷାବିତ୍‌ ଜୀବନ ଆରମ୍ଭ କରିଥିଲେ। ଏହାପରେ ସମ୍ବଲପୁର ଜିଏମ୍‌ କଲେଜରେ ଅଧ୍ୟାପନା କରି ଶେଷରେ କଟକ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରୁ ବରିଷ୍ଠ ଅର୍ଥନୀତି ପ୍ରଫେସର ଭାବେ ଅବସର ଗ୍ରହଣ କରିଥିଲେ। ଜଣେ ଲୋକପ୍ରିୟ ଶିକ୍ଷକ ଭାବେ ସେ ଯେତିକି ସୁନାମ ଅର୍ଜନ କରିଥିଲେ, ତା’ଠୁ ଅଧିକ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ରହିଥିଲା। କେବଳ ଅର୍ଥନୀତି ନୁହେଁ, ଭାଷା ଓ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ଉତ୍କର୍ଷ ପ୍ରତିଫଳିତ ହୋଇଥିଲା। ସେ ଏକାଧିକ କବିତା ଏବଂ ଭିନ୍ନସ୍ବାଦର ପୁସ୍ତକ ରଚନା କରିଥିଲେ। ଅର୍ଥନୀତି ବିଷୟବସ୍ତୁ ଉପରେ ଆଧାରିତ ରିସର୍ଚ୍ଚ ଜର୍ନାଲ ‘ଭିଜନ୍‌’ର ସମ୍ପାଦକ ଓ ପ୍ରକାଶକ ଭାବେ ଦାୟିତ୍ୱ ତୁଲାଉଥିଲେ ବାସୁଦେବ। ଏହି ଜର୍ନାଲ ରାଜ୍ୟ ଏବଂ ରାଜ୍ୟ ବାହାରର ଅର୍ଥନୀତି ଛାତ୍ରୀଛାତ୍ର ଓ ଗବେଷକମାନଙ୍କୁ ଏକ ଉତ୍କୃଷ୍ଟ ପ୍ଲାଟଫର୍ମ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଅବସର ପରେ ସେ ସାମାଜିକ କ୍ଷେତ୍ରରେ ବେଶ୍‌ କ୍ରିୟାଶୀଳ ଥିଲେ।

Share