ପରଲୋକରେ ପାରଳା ମହାରାଜା

ଭୁବନେଶ୍ୱର/ପାରଳାଖେମୁଣ୍ଡି,୧୦।୧(ବ୍ୟୁରୋ/ସ୍ବ.ପ୍ର.): ପାରଳାଖେମୁଣ୍ଡି ରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ଶୁକ୍ରବାର ସକାଳେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୬ବର୍ଷ ହୋଇଥିଲା।  ୨୦୧୬ରୁ ପାରଳା ମହାରାଜାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା। ତେଣୁ ତାଙ୍କୁ ପ୍ରଥମେ ଚେନ୍ନାଇସ୍ଥିତ  ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛି ସୁଧାର ଆସିଥିଲା କିନ୍ତୁ ପୁଣିଥରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ୨୦୧୭ ଜାନୁୟାରୀରେ ଭୁବନେଶ୍ୱରସ୍ଥିତ  ଆପୋଲୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ଶୁକ୍ରବାର ଭୋର୍‌ ୪ଟା ୨୦ ମିନିଟ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

୧୯୪୩  ମାର୍ଚ୍ଚ ୬ରେ ସେ ଜନ୍ମ ନେଇଥିଲେ। ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ୯ମ ଓ ୧୦ମ ଲୋକ ସଭାରେ ଏମ୍‌ପି ମଧ୍ୟ ରହିଥିଲେ। ୧୯୭୪  ମେ ୨୬ରେ ସେ ପାରଳାଖେମୁଣ୍ଡିର ରାଜା ଭାବେ ଅଭିଷିକ୍ତ ହୋଇଥିଲେ। ସେ ଥିଲେ କୃଷ୍ଣଚନ୍ଦ୍ର ଗଜପତିଙ୍କ ଜ୍ୟୋଷ୍ଠପୁତ୍ର ରାମଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପୁତ୍ର। ୧୯୬୭  ମାର୍ଚ୍ଚ ୧୪ରେ ସେ ଧରମପୁରର ରାଜଜେମା ରାଣୀ ପୂର୍ଣ୍ଣଦେବୀଙ୍କୁ ବିବାହ କରି ପୁତ୍ର ଓ କନ୍ୟାସନ୍ତାନ ପ୍ରାପ୍ତ ହୋଇଥିଲେ। ସ୍ବାଧୀନତା ପରବର୍ତ୍ତୀ ସମୟରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପୁରୋଧା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଦାୟାଦ ପାରଳାଖେମୁଣ୍ଡି ରାଜା ପ୍ରଥମେ ରାଜନୀତିରେ ପ୍ରବେଶ କରି ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଥିଲେ। ପରେ ଭାଜପାରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଭାଜପା ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ।

୧୯୮୯ରେ ଗୋପୀନାଥ ଗଜପତି ବ୍ରହ୍ମପୁର ଲୋକ ସଭା ଆସନରୁ କଂଗ୍ରେସରୁ ପ୍ରାର୍ଥୀ ହୋଇ ୨ ଲକ୍ଷ ୩୨ ହଜାର ୮୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ସେହିପରି ୧୦ ଲୋକ ସଭା ନିର୍ବାଚନ ୧୯୯୧ରେ ପୁଣି କଂଗ୍ରେସରୁ ପ୍ରାର୍ଥୀ ହୋଇ ୨ ଲକ୍ଷ ୩୫ ହଜାର ୨୬୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ମାତ୍ର ୧୯୯୮ରେ ଭାଜପାରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ରାଜନୀତିରୁ ଦୂରେଇ ରହିଥିବା ଗୋପୀନାଥଙ୍କ କନ୍ୟା ରାଜକୁମାରୀ କଲ୍ୟାଣୀ ଦେବୀ ଏବେ ରାଜନୀତିରେ ପାଦ ଥାପିଛନ୍ତି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେଡିରେ ଯୋଗ ଦେଇଥିଲେ। ରାଜାଙ୍କ ମୃତ୍ୟୁ ଖବରପାଇ କେବଳ ପାରଳାଖେମୁଣ୍ଡି ନୁହେଁ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।

Share