ପରଲୋକରେ ପ୍ରସିଦ୍ଧ ସାକ୍ସୋଫୋନିଷ୍ଟ କାଦ୍ରୀ ଗୋପାଳନାଥ

ମାଙ୍ଗାଲୁର,୧୧।୧୦: ପ୍ରସିଦ୍ଧ ସାକ୍ସୋଫୋନିଷ୍ଟ ଓ ପଦ୍ମଶ୍ରୀ ପୁରସ୍କାର ବିଜେତା କାଦ୍ରୀ ଗୋପାଳନାଥଙ୍କ ଶୁକ୍ରବାର ସକାଳେ କର୍ନାଟକ ମାଙ୍ଗାଲୁରରେ ଏକ ଘରୋଇ ହସ୍ପିଟାଲରେ ନିଧନ ହୋଇଛି। ଦୀର୍ଘ ଦିନରୁ ସେ ଅସୁସ୍ଥ ଥିବା ବେଳେ ୬୯ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଗୋପାଳନାଥଙ୍କ ପରିବାରରେ ତାଙ୍କର ସ୍ତ୍ରୀ ଏବଂ ଦୁଇ ପୁତ୍ର ଅଛନ୍ତି। ତାଙ୍କ ପୁତ୍ର ମଣିକାନ୍ତ କାଦ୍ରୀ ଜଣେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଥିବା ବେଳେ ଦ୍ୱିତୀୟ ପୁତ୍ର କୁଏତ୍‌ରେ ରହୁଥିବା ଜଣାପଡ଼ିଛି। ପୁଅ ବିଦେଶରୁ ଆସିବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି। ଗୋପାଳନାଥ କର୍ନାଟକର ସଙ୍ଗୀତ ପ୍ରଣାଳୀରେ ଜଣେ ବିଶ୍ୱ ପ୍ରସିଦ୍ଧ ସାକ୍ସୋଫୋନିଷ୍ଟ ଥିଲେ। ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ, କର୍ନାଟକ କଳାଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ଗୋପାଳନାଥଙ୍କ ଜନ୍ମ ୧୯୫୦ରେ ଦକ୍ଷିଣ କନ୍ନଡର ବଣ୍ଟବାଲାର ସଜିପାମୁଦା ଗାଁର ମିତ୍ତକେରେରେ ହୋଇଥିଲା। ତାଙ୍କର ସଙ୍ଗୀତରେ ପ୍ରତିଭା ରହିଥିବା ବେଳେ ମାତ୍ର ୮ବର୍ଷ ବୟସରେ ସେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ଅନ୍ୟପଟେ ୨୦୦୪ରେ ପଦ୍ମଶ୍ରୀ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ସେହି ବର୍ଷ ତାଙ୍କୁ ବେଙ୍ଗାଲୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ୍‌ ଉପାଧି ମିଳିଥିଲା।

Share