ପରଲୋକରେ ଲୋକପ୍ରିୟ ତେଲୁଗୁ ହାସ୍ୟ କଳାକାର ବେଣୁ ମାଧବ, ଶୋକରେ ବୁଡ଼ିଲା ଟଲିଉଡ୍‌

ମୁମ୍ବାଇ: ପରଲୋକରେ ତେଲୁଗୁ ସିନେମାଜଗତର ଲୋକପ୍ରିୟ ହାସ୍ୟ କଳାକାର ବେଣୁ ମାଧବ। ଦୀର୍ଘଦିନରୁ ଯକୃତ ଏବଂ ବୃକକ୍‌ ସମ୍ପନ୍ଧୀୟ ରୋଗରେ ପୀଡ଼ିତ ଥିବା ବେଣୁଙ୍କର ସ୍ବାସ୍ଥ୍ୟବସ୍ଥା ମଙ୍ଗଳବାର ଅଧିକ ଖରାପ ହୋଇଯାଇଥିଲା। ଏଣୁ ତାଙ୍କୁ ତୁରନ୍ତ ହାଇଦ୍ରାବାଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ବୁଧବାର ଅପରାହ୍ନ ୧୨.୨୦ରେ ତାଙ୍କର ମୃତ୍ୟୁ ଘଟିଛି। ମାତ୍ର ୩୯ ବର୍ଷ ବୟସରେ ତାଙ୍କର ଏଭଳି ନିଧନ ଖବର ପ୍ରଚାର ହେବା ପରେ ଟଲିଉଡ୍‌ ପ୍ରେମୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।

ଆନ୍ଧ୍ରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ତାଙ୍କର ପ୍ରଶଂସକ ଏବଂ ଟଲିଉଡ କଳାକାରମାନେ ଟୁଇଟରରେ ନିଜ ଶୋକବ୍ୟକ୍ତ କରୁଛନ୍ତି।

ଫିଲ୍ମ ’ସମ୍ପ୍ରଦାୟମ୍‌’ରୁ ସେ ତେଲୁଗୁ ଇଣ୍ଡଷ୍ଟ୍ରିରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରଠାରୁ ସେ ତାମିଲ ଏବଂ ତେଲୁଗୁ ଭାଷାର ପ୍ରାୟ ୨ଶହ ଫିଲ୍ମରେ କାମ କରିଛନ୍ତି। ଶେଷଥର ପାଇଁ ସେ ୨୦୧୬ରେ ଫିଲ୍ମ ‘ଡକ୍ଟର ପରମାନନ୍ଦାଇ ଷ୍ଟୁଡେଣ୍ଟସ୍‌’ରେ କାମ କରିଥିଲେ। ମାତ୍ର ଏହା ଏଯାବତ ରିଲିଜ ହୋଇପାରିନାହିଁ। ସେବେଠାରୁ ତାଙ୍କୁ ରାଜନୀତିରେ ରୂଚି ରଖୁଥିବା ଦେଖାଯାଇଥିଲା। ସେ ତେଲୁଗୁ ଦେଶମ୍‌ ପାର୍ଟି ପାଇଁ ନିର୍ବାଚନ ପ୍ରଚାର କରିଥିଲେ।

Share