Categories: ଖେଳ

ପରାଜୟରୁ ବର୍ତ୍ତିଲା ଇଷ୍ଟବେଙ୍ଗଲ

ଲୁଧିଆନା, ୭ା୧୨ (ପି.ଟି.)-ପଞ୍ଜାବ ଏଫ୍‌ସି ବିପକ୍ଷ ଆଇ-ଲିଗ୍‌ ମ୍ୟାଚରେ ଇଷ୍ଟ ବେଙ୍ଗଲ ପରାଜୟରୁ ଅଳ୍ପକେ ବର୍ତ୍ତିଯାଇଛି। ସ୍ଥାନୀୟ ଗୁରୁ ନାନକ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଏହି ମ୍ୟାଚରେ ଡାନିଲୋ ଅଗଷ୍ଟୋ ୧୩ତମ ମିନିଟ୍‌ରେ ଏକ ଗୋଲ ସ୍କୋର କରି ପଞ୍ଜାବ ଏଫ୍‌ସିକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଦଳ ଏହି ମ୍ୟାଚରେ ବିଜୟ ହାସଲ କରି ୩ ପଏଣ୍ଟ ଅର୍ଜନ କରିବ ବୋଲି ଜଣାପଡ଼ୁଥିଲା। ମାତ୍ର ମ୍ୟାଚ ଶେଷ ହେବାକୁ ଆଉ ଅଳ୍ପ ସମୟ ବାକି ଥିବା ବେଳେ ଅର୍ଥାତ ୮୪ତମ ମିନିଟ୍‌ରେ ଇଷ୍ଟବେଙ୍ଗଲର ଜୁଆନ ମେରା ଏକ ଗୋଲ ସ୍କୋର କରି ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ପଞ୍ଜାବ ଏଫ୍‌ସି ସିଜନର ଓପନିଂ ମ୍ୟାଚରେ ଚର୍ଚ୍ଚିଲ ବ୍ରଦର୍ସଠାରୁ ୦-୩ ଗୋଲରେ ହାରଯାଇଥିଲା। ଫଳରେ କୋଚ୍‌ ୟାନ୍‌ ଲ’ ଶନିବାର ମ୍ୟାଚ ପାଇଁ ଦଳରେ କେତୋଟି ପରିବର୍ତ୍ତନ କରିଥିଲେ। ଭାସ୍କର ରୟଙ୍କ ସ୍ଥାନରେ କିରନ କୁମାର ଲିମ୍ବୁଙ୍କୁ ଗୋଲକିପର ଭାବେ ଦଳରେ ସାମିଲ କରାଯାଇଥିଲା। ବ୍ୟାକ୍‌ ଲାଇନ୍‌ରେ ସସ୍‌ପେଣ୍ଡ ହୋଇଥିବା ଅନଓ୍ବାର ଅଲିଙ୍କ ସ୍ଥାନରେ ସାମୁଏଲ ଶାଦାପଙ୍କୁ ନିଆଯାଇଥିଲା। ପଞ୍ଜାବ ଏଫ୍‌ସି ଅଧିନାୟକ ସଞ୍ଜୁ ପ୍ରଧାନ ତାଙ୍କ ସ୍ଥାନ ବଜାୟ ରଖିଥିଲେ। ବାଲି ଗଗନଦୀପ ଏବଂ ଆସେର ଦିପାଣ୍ଡା ଡିକାଙ୍କ ସହ ସେ ସମ୍ମୁଖ ଭାଗ ସମ୍ଭାଳିଥିଲେ। ଅନ୍ୟପକ୍ଷରେ ରିୟଲ କଶ୍ମୀର ଏଫ୍‌ସି ବିପକ୍ଷରେ ୧-୧ ଗୋଲରେ ଡ୍ର ରଖିଥିବା ଇଷ୍ଟବେଙ୍ଗଲ ଦଳରେ କମଲଜିତ୍‌ଙ୍କ ସ୍ଥାନରେ ସମଦ ଅଲି ମଲିକଙ୍କୁ ଡିଫେନ୍ସରେ ଖେଳାଯାଇଥିଲା।

Share