Categories: ଗଞ୍ଜାମ

ପରାଜୟର ମାନସ ମନ୍ଥନ କଲା ଗଞ୍ଜାମ କଂଗ୍ରେସ

ବ୍ରହ୍ମପୁର ଅଫିସ,୨୪ା୬-ସାଧାରଣ ନିର୍ବାଚନର ଅଢ଼େଇ ମାସ ଓ ଫଳାଫଳ ଘୋଷଣାର ମାସେ ପୂରିବା ଦିନ ରବିବାର ଦଳର ଶୋଚନୀୟ ପରାଜୟ ନେଇ ମାନସ ମନ୍ଥନ କରିଛି ଗଞ୍ଜାମ ଜିଲା କଂଗ୍ରେସ। ଅତୀତରେ କଂଗ୍ରେସର ଦୁର୍ଗ ରୂପେ ଚିହ୍ନଟ ହୋଇଥିବା ଏହି ଜିଲାରେ ଦଳର ବିପର୍ଯ୍ୟୟ ଘଟିଛି। ୧୨ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ ଜଣ ଅମାନତ ହରାଇଛନ୍ତି। ସେହିପରି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଏବଂ ଆସିକା ସଂସଦୀୟ କ୍ଷେତ୍ରରେ ଲଢ଼ିଥିବା କଂଗ୍ରେସ ସମର୍ଥିତ ସିପିଆଇ ପ୍ରାର୍ଥୀ ମଧ୍ୟ ଅମାନତ ରଖିବାରେ ସକ୍ଷମ ହୋଇ ନ ଥିଲେ। କେବଳ ସାନଖେମୁଣ୍ଡି ଆସନର କଂଗ୍ରେସ ପ୍ରାର୍ଥୀ ରମେଶ ଜେନା ନିର୍ବାଚିତ ହୋଇଛନ୍ତି।
ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ନିଷ୍ପତ୍ତି ଓ ନିର୍ଦ୍ଦେଶରେ ରବିବାର ଭୁବନେଶ୍ୱରରୁ ବ୍ରହ୍ମପୁର ଆସିଥିଲେ ୬ ଜଣିଆ ଟିମ। ଏହାର ନେତୃତ୍ୱ ନେଇଥିଲେ କଟକ ବିଧାୟକ ମହମ୍ମଦ ମୁକିମ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ସମେତ ଶୁଭେନ୍ଦୁ ମହାନ୍ତି, ମହିଳା କଂଗ୍ରେସ ନେତ୍ରୀ ବବିତା ପରିଡ଼ା, ବିଶ୍ୱଜିତ ଦାସ ପ୍ରମୁଖ ସାମିଲ ହୋଇଥିଲେ। ଜିଲା କଂଗ୍ରେସ କାର୍ଯ୍ୟାଳୟ ବାପୁଜୀ ଆଶ୍ରମରେ ପରାଜୟର କାରଣ ନେଇ ହୋଇଥିଲା ସମୀକ୍ଷା। ଜିଲା କଂଗ୍ରେସ ସଭାପତି ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡାଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ ପିସିସି ଟିମ୍‌। ଦଳର ସଂଗଠନକୁ ଦୁର୍ବଳ କରି ଦେଇ ନିର୍ବାଚନର ବର୍ଷକ ପୂର୍ବରୁ ଦଳ ଛାଡିଥିବା ବିଶ୍ୱାସଘାତକ ଓ ଅର୍ଥ ଅଭାବ ପରାଜୟର ମୁଖ୍ୟ କାରଣ ହୋଇଥିବା ଜିଲା କର୍ମକର୍ତ୍ତା ସଫେଇ ଦେଇଥିଲେ। ଟିକେଟ ବଣ୍ଟନରେ ତ୍ରୁଟି ଆଉ ଏକ କାରଣ ହୋଇଥିବା କୁହାଯାଇଥିଲା।
ପୌର ନିର୍ବାଚନ ନିକଟତର ହୋଇଥିବାରୁ ଗଞ୍ଜାମ ଜିଲାରେ ତୃଣମୂଳ ସ୍ତରରୁ ଦଳର ସଂଗଠନକୁ ମଜଭୁତ କରିବା ପାଇଁ ପିସିସି ଟିମ ଗୁରୁତ୍ୱ ଦେଇଥିଲେ। ଦଳ ବିରୋଧୀଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଏଣିକି ଜୋନସ୍ତରରେ ସଂଗଠନକୁ ସଜାଡ଼ିବା, ଧର୍ମକୁ ନେଇ ରାଜନୀତି କରୁଥିବା, ସାମନ୍ତବାଦ ଓ ପୁଞ୍ଜିବାଦର ବିଲୋପ ଘଟାଇ ଧର୍ମ ନିରପେକ୍ଷ ବଜାୟ ରଖିବା ପାଇଁ କଂଗ୍ରେସ ଏକମାତ୍ର ଦଳ ହୋଇଥିବାରୁ ସେ ସମ୍ପର୍କରେ କର୍ମୀମାନେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ପାଇଁ ପିସିସି ଟିମ୍‌ ପରାମର୍ଶ ଦେଇଥିଲେ।