ପରିଚୟପତ୍ର ପ୍ରଦାନ ଆଳରେ କୃଷକଙ୍କୁ ଶୋଷଣ

ରସୁଲପୁର,୭।୮(ଡି.ଏନ୍‌.ଏ.)- କାଳିଆ ଯୋଜନାକୁ ନେଇ ଚାଷୀ ଭୁଆଁ ବୁଲୁଥିବାବେଳେ ଚାଷୀଙ୍କୁ ନେଇ ଜାଲିଆତି ବନ୍ଦ ହେବାର ନାଁ ଧରୁନି। ଗାଁର ବୋକରୀ ଯୁବକ, ଅଣଭୋଟର କାଳିଆ ଟଙ୍କାରେ ମଉଜ ମଜିଲିସ୍‌ କରୁଛନ୍ତି। ମାତ୍ର ପ୍ରକୃତ ଚାଷୀଙ୍କ ଜମାଖାତାକୁ ଯୋଜନା ଟଙ୍କା ଆସିପାରୁ ନାହିଁ। କେନ୍ଦ୍ରୀୟ ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା ମିଳିବା ବାହାନାରେ କୃଷକଙ୍କୁ ଏକ ପ୍ରକାର ଶୋଷଣ ଚାଲିଛି। ଆଉ ଜନସେବା କେନ୍ଦ୍ରଗୁଡ଼ିକ ଶୋଷଣର ମାଧ୍ୟମ ପାଲଟିଛି ା କେନ୍ଦ୍ରପକ୍ଷରୁ ଦଲାଲମାନେ ଗାଗଣ୍ଡା ବୁଲି ଟଙ୍କା ଆଦାୟ କରୁଛନ୍ତି। ଏଭଳି ଘଟଣା ଯାଜପୁର ଜିଲାର ରସୁଲପୁର ବ୍ଲକ ଅଞ୍ଚଳରେ ବ୍ୟାପକ ଭାବରେ ଚାଲିଛି। ପ୍ରଧାନମନ୍ତ୍ରୀ କୃଷକ ଭତ୍ତା, ଚାଷ ପାଇଁ ଆର୍ଥିକ ସହାୟତା, ସାର, ଔଷଧ, କୃଷି ଯନ୍ତ୍ରାଶଂ ଆଦି କ୍ରୟ କରିବା ପାଇଁ ପଞ୍ଜିକରଣ ଆଳରେ ଚାଷୀଙ୍କଠାରୁ ଟଙ୍କା ଆଦାୟ କରାଯାଉଛି। ସରକାରୀସ୍ତରରେ ସେଭଳି କିଛି ନିର୍ଦ୍ଦେଶାନାମା ନ ଥିବା ସତ୍ତ୍ୱେ ଜନସେବା କେନ୍ଦ୍ରଗୁଡିକ ଅଘୋଷିତ ନିୟମ ଲାଗୁ କରିଛନ୍ତି। ଚାଷୀମାନଙ୍କ ନାମକୁ ପଞ୍ଜିକରଣ ପାଇଁ ଜଣକ ପିଛା ଅନ୍ୟୁନ ୧୦୦ ରୁ ୨୦୦ ଟଙ୍କା ଆଦାୟ କରୁଛନ୍ତି। ଏହିଭଳି ଭାବରେ ଦୈନିକ ଜନସେବା କେନ୍ଦ୍ର ଜରିଆରେ ଚାଷୀର କଷ୍ଟ ଉପାର୍ଜିତ ଲକ୍ଷଲକ୍ଷ ଟଙ୍କା ଦଲାଲଙ୍କ ପକେଟକୁ ଯାଉଛି। ଏଦିଗରେ କୃଷି ବିଭାଗ ଜାଣି ବି ନିରବଦ୍ରଷ୍ଟା ସାଜିଛି। ଚାଷୀମାନେ ଏନେଇ କୃଷି ବିଭାଗ ସହ ଯୋଗାଯୋଗ କରିବାରୁ ସେମାନଙ୍କ ପାଖରେ ସେଭଳି କିଛି ନିର୍ଦ୍ଦେଶ ନାହିଁ ବୋଲି କହି ଚୁପ୍‌ ବସିଯାଉଛନ୍ତି। ଯେଉଁ ସବୁ ଜନସେବା କେନ୍ଦ୍ରଗୁଡିକରେ ଏଭଳି ବେଆଇନ କାର୍ଯ୍ୟ ହେଉଛି ତାକୁ ନେଇ ବିଭାଗ ଚୁପ୍‌ ରହିବା ଘଟଣା ବିଭାଗର ଭୂମିକାକୁ ସନ୍ଦେହ ଘେରକୁ ଟାଣି ଆଣୁଛି। ଉକ୍ତ ଘଟଣାର ତଦନ୍ତ କରାଯାଇ ସମ୍ପୃକ୍ତ ଜନସେବା କେନ୍ଦ୍ରଗୁଡିକର କୋଡ୍‌କୁ ପ୍ରତ୍ୟାହାର କରାଯିବା ସହ ଏହା ପରିଚାଳନା ଦାୟିତ୍ୱରେ ଥିବା ବ୍ୟକ୍ତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ରସୁଲପୁର ବ୍ଲକ ସହକାରୀ କୃଷି ଅଧିକାରୀ ଭାଗ୍ୟଧର ସାହୁଙ୍କୁ ପଚାରିବାରୁ ଏଦିଗରେ ବିଭିନ୍ନ ପଞ୍ଚାୟତରୁ ଅଭିଯୋଗ ତାଙ୍କ ନିକଟକୁ ଆସିଛି। ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଜନସେବା କେନ୍ଦ୍ରଗୁଡ଼ିକରେ ଚାଷୀ ପଞ୍ଜିକରଣ କାର୍ଯ୍ୟ କରାଯାଉଛି । ବଦଳରେ ଚାଷୀମାନଙ୍କୁ ଏକ ଫାମର୍ସ ଆଇଡି ପ୍ରଦାନ କରାଯାଉଛି। ଏହାଛଡ଼ା କୃଷି ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ଜରିଆରେ ଚାଷୀ ପଞ୍ଜିକରଣ କାର୍ଯ୍ୟ କେବଳ ପାକ୍ସ ଓ କୃଷି ବିଭାଗରେ କରାଯାଉଛି। କୃଷକ ପରିଚୟପତ୍ର ମାଗଣାରେ ପ୍ରଦାନ କରାଯାଉଛି। ଏଥିପାଇଁ ଯେଉଁମାନେ ଟଙ୍କା ନେଉଥିବା ତାହା ବେଆଇନ ବୋଲି ସାହୁ କହିଛନ୍ତି।

Share