Categories: ମେଟ୍ରୋ

ପରିଚୟ ଫାଉଣ୍ଡେଶନ ପକ୍ଷରୁ ‘ଶ୍ରୀ ଆୱାର୍ଡସ୍‌’ର ୪ର୍ଥ ସଂସ୍କରଣ: ୧୨ ପ୍ରତିଭାଙ୍କୁ ‘ଶ୍ରୀ ଆଓ୍ବାର୍ଡ’

ଭୁବନେଶ୍ୱର,୨୧।୭(ବ୍ୟୁରୋ): ପରିଚୟ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ‘ଶ୍ରୀ ଆୱାର୍ଡସ୍‌’ର ଚତୁର୍ଥ ସଂସ୍କରଣ ଶନିବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହୋଇଯାଇଛି। ମୁଖ୍ୟଅତିଥିଭାବେ ରାଜ୍ୟ ସଭା ସଦସ୍ୟ ତଥା ପଦ୍ମବିଭୂଷଣ ଡ. ସୋନାଲ ମାନସିଂହ, ସମ୍ମାନିତ ଅତିଥିଭାବେ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ, କଲିକତାରେ ଅବସ୍ଥାପିତ ଚାଇନାର ବାଣିଜି୍ୟକ ଦୂତାବାସ ଅଧିକାରୀ ଝା ଲିଓ ପ୍ରମୁଖ ଯୋଗଦେଇ ସମାରୋହକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିତ୍ୱମାନଙ୍କୁ ଶ୍ରୀ ଆଓ୍ବାର୍ଡରେ ସମ୍ମାନିତ କରାଯାଇଥିଲା।

ଅଜୟ ଅଗ୍ରୱାଲଙ୍କୁ ଚଳିତବର୍ଷ ଲାଗି ଜୀବନ ବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଡା. ନୀଳମାଧବ ରଥ, କଳା ଓ ସଂସ୍କୃତି କ୍ଷେତ୍ରରେ ଗୁରୁ ବିଚିତ୍ରାନନ୍ଦ ସ୍ବାଇଁ, ଏନ୍‌ଆର୍‌ଓ କ୍ଷେତ୍ରରେ ଉତ୍ତମ ତ୍ରିପାଠୀ, ସମାଜସେବା କ୍ଷେତ୍ରରେ ମଧୁସୂଦନ ଦାସ ଓ ଧୀରେନ୍ଦ୍ର ଠାକୁର ଓ ଶିକ୍ଷା କ୍ଷେତ୍ରରେ ଡ. ସତ୍ୟବ୍ରତ ମୀନକେତନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିଭଳି ଉଦ୍ୟୋଗ କ୍ଷେତ୍ରରେ ଉତ୍କର୍ଷ ଲାଗି ପ୍ରଣବ ପାଣି, ସାମ୍ବାଦିକତା କ୍ଷେତ୍ରରେ ଶିବ ମହାନ୍ତି, କ୍ରୀଡା କ୍ଷେତ୍ରରେ ପ୍ରଭାତ ବରାଳ ଓ ଡ. ପୀୟୂଷ ରଞ୍ଜନ ରାଉତ, ମନୋରଞ୍ଜନ କ୍ଷେତ୍ରରେ ଡ. ଅଭିନାଶ ନନ୍ଦ, ଫଟୋଗ୍ରାଫି କ୍ଷେତ୍ରରେ ମନୋଜ ସାହୁ ଓ ସ୍ବତନ୍ତ୍ର ବିଭାଗରେ ସମୀର କୁମାର ସାମଲଙ୍କୁ ଶ୍ରୀ ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା। ଏହାସହ ବାତ୍ୟା ଫନୀର ତାଣ୍ଡବ ପରେ ରାଜ୍ୟର ପୁନର୍ଗଠନରେ ସହଯୋଗର ହାତ ବଢାଇଥିବା ବ୍ୟକ୍ତିବିଶେଷ ଓ ବାତ୍ୟା ବିପନ୍ନ ମହିଳାଙ୍କ ନିମନ୍ତେ କାର୍ଯ୍ୟ କରିଥିବା ଓଡିଶା ସମାଜର ସଦସ୍ୟ ଡ. ଐଶ୍ୱଯର୍‌ୟା ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପଦ୍ମବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ଶିଷ୍ୟ ଦିଗ୍‌ବିଜୟସିନ୍‌ ଚୌହାନ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ବଂଶୀବାଦନ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହାପରେ ଅନିନ୍ଦିତା ଦାସଙ୍କ ଦ୍ୱାରା ପରିବେଷିତ ଏକତା ଓ ସମତା ରକ୍ଷାଭିତ୍ତିକ ସଙ୍ଗୀତ ଶ୍ରୋତାଙ୍କୁ ଆକୃଷ୍ଟ କରିଥିଲା। ପ୍ରାଚୀତାରାଙ୍କ ଦ୍ୱାରା ଷ୍ଟୋରିଟେଲିଂ ଅଧିବେଶନ ଅନୁଷ୍ଠିତ ହୋଇଥିବାବେଳେ ଅନୁଷ୍କା କର ମନଛୁଆଁ ଗୀତ ପରିବେଷଣ କରିଥିଲେ। ଚାଇନାର ବାଣିଜି୍ୟକ ଦୂତାବାସ ଅଧିକାରୀ ଝା ଲିଓ ଫନୀ କ୍ଷତିଗ୍ରସ୍ତ ଅଞ୍ଚଳରେ ମହିଳାଙ୍କ ଆର୍ଥିକ ପ୍ରଗତି ଏବଂ ମହିଳା ସଶକ୍ତୀକରଣ ନିମନ୍ତେ ୧.୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଥିବାବେଳେ ପରିଚୟ ଫାଉଣ୍ଡେଶନ ପ୍ରତିଷ୍ଠାତା ସଭାପତି ରୋଜାଲିନ୍‌ ପାଟଶାଣୀ ଧନ୍ୟବାଦ ଦେଇଥିଲେ।

Share