ଚେନ୍ନାଇ: ଅଭିନେତ୍ରୀ ଶ୍ରୁତି ହାସନ ଦୀର୍ଘବର୍ଷ ହେବ ଅଭିନୟ ଜଗତରେ ସକ୍ରିୟ ରହିଛନ୍ତି। ସେ ତାଙ୍କ ବାପା କମଲ ହାସନଙ୍କ ପରି ଦକ୍ଷିଣ ଭାରତୀୟ ସିନେମାଠାରୁ ଆରମ୍ଭ କରି ବଲିଉଡ୍ ପର୍ଯ୍ୟନ୍ତ ବହୁ ସଫଳତା ହାସଲ କରିଛନ୍ତି। ତେବେ ଏକଦା ଶ୍ରୁତି କମଲଙ୍କ ଝିଅ ଭାବେ ନିଜକୁ ପରିଚୟ ଦେବାକୁ ଉଚିତ ମଣୁ ନ ଥିଲେ ବୋଲି ରବିବାର ଏକ ସାକ୍ଷାତ୍କାରରେ କହିଛନ୍ତି। ସେ କହିଛନ୍ତି, ଫିଲ୍ମ ଜଗତରେ କ୍ୟାରିୟର ଆରମ୍ଭ କରିବା ସମୟରେ ସେ କମଲଙ୍କ ଝିଅ ଭାବେ ନିଜର ପରିଚୟକୁ ଲୁଚାଇଥିଲେ। ସେତେବେଳେ ସେ ନିଜକୁ ପୂଜା ରାମଚନ୍ଦ୍ରନ ଭାବେ ପରିଚୟ ଦେଉଥିଲେ। ଫିଲ୍ମ ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଏପରି କରୁଥିଲେ ବୋଲି ଶ୍ରୁତି କହିଛନ୍ତି। ସେତେବେଳେ କମଲଙ୍କ ଝିଅ ଭାବେ ତାଙ୍କୁ କେହି ଜାଣନ୍ତୁ ନାହିଁ ବୋଲି ସେ ଚାହୁଁଥିଲେ। ଶ୍ରୁତି ଆହୁରି କହିଛନ୍ତି, ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିୟର କରିବା ସମୟରେ ଅନେକେ ତାଙ୍କୁ କମଲଙ୍କ ଝିଅ ଭାବେ ସମ୍ବୋଧନ କରୁଥିଲେ। ଏହା ତାଙ୍କୁ ବିରକ୍ତି ଆଣି ଦେଉଥିଲା। ତେଣୁ ସେ ବାଧ୍ୟହୋଇ ନିଜ ପରିଚୟ ଲୁଚାଇବାକୁ ଚେଷ୍ଟା କରିଥିଲେ। ତେବେ ଚେନ୍ନାଇରେ ରହୁଥିବାବେଳେ ଏହା ତାଙ୍କ ପାଇଁ ସମ୍ଭବ ହୋଇ ନ ଥିଲା। ତେଣୁ ଯେତେବେଳେ ତାଙ୍କ ମା’ ଓ ବାପା ପରସ୍ପରଠାରୁ ଅଲଗା ହୋଇଯାଇଥିଲେ, ସେ ମୁମ୍ବାଇକୁ ଚାଲି ଆସିଥିବା
ଶ୍ରୁତି କହିଛନ୍ତି। ଏହାପରେ ସେ କିଛିଦିନ ପାଇଁ ନିଜ ପରିଚୟକୁ ଲୁଚାଇ ପୂଜା ରାମଚନ୍ଦ୍ରନ ଭାବେ ଅଭିନୟ କ୍ଷେତ୍ରରେ ପାଦ ଥାପିବାକୁ ପ୍ରୟାସ କରିଥିଲେ।