Categories: ଜାତୀୟ

ପରିଜନଙ୍କୁ ଶେଷଥର ସାକ୍ଷାତ୍‌ କରିବାକୁ ନିର୍ଭୟା ଦୋଷୀଙ୍କୁ ଅନୁମତି ଦେଲେ ଜେଲ ପ୍ରଶାସନ

ନୂଆଦିଲ୍ଲୀ,୨୨।୨: ବହୁ ଚର୍ଚ୍ଚିତ ନିଭୟା ଗଣବଳାତ୍କାର ମାମଲାର ୪ ଦୋଷୀ ଏବେ ଫାଶୀଦଣ୍ଡ ପାଇଁ ଦିନ ଗଣୁଛନ୍ତି। ଆସନ୍ତା ମାର୍ଚ୍ଚ ୩ ସକାଳ ୬ଟାରେ ଏମାନଙ୍କୁ ଫାଶୀ ଦେବା ଲାଗି ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ତେବେ ଫାଶୀ ହେବା ପୂର୍ବରୁ ତିହାର ଜେଲ ପ୍ରଶାସନ ଏହା ପୂର୍ବର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଚେଷ୍ଟା କରୁଥିବା କୁହାଯାଉଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜେଲ ପ୍ରଶାସନ ଉତ୍ତର ପ୍ରଦେଶ ଜେଲରୁ ଜହ୍ଲାଦ ଆଣିବା ଲାଗି ଚିଠି ଲେଖିଛନ୍ତି। ଏଥିରେ ଉଲ୍ଲେଖ ରହିଛି ଫାଶୀ ଦେବାର ତାରିଖ ଅର୍ଥାତ୍‌ ମାର୍ଚ୍ଚ ୩ର ଦୁଇଦିନ ପୂର୍ବରୁ ଜହ୍ଲାଦଙ୍କୁ ତିହାର ଜେଲ ପଠାଯାଉ। ସେହିପରି ନିର୍ଭୟା ମାମଲାର ୪ ଦୋଷୀ ସେମାନଙ୍କ ପରିଜନଙ୍କୁ ଭେଟିବାକୁ ଚିଠି ଲେଖାଯାଇଛିି। ଏଥିପାଇଁ ସେମାନଙ୍କ ପରିଜନ କେବେ ଭେଟିବେ ସେ ସମ୍ପର୍କରେ ଜଣାଇବା ପାଇଁ ପ୍ରଶାସନ ପକ୍ଷରୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି। ତେବେ ଗୋଟିଏ ଦିନରେ ସମସ୍ତ ଦୋଷୀଙ୍କ ପରିଜନ ଏକାଠି ସେମାନଙ୍କୁ ସାକ୍ଷାତ୍‌ କରିବେ କି ନା ସେ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଶେଷ ସାକ୍ଷାତ୍‌କାର ପୂର୍ବରୁ ଦୋଷୀମାନେ ସେମାନଙ୍କ ପରିଜନଙ୍କ ସହ ସପ୍ତାହରେ ୨ ଥର ସାକ୍ଷାତ୍‌ କରିପାରିବେ। ଶେଷ ସାକ୍ଷାତ୍‌କାର ପରେ କେବଳ ଡାକ୍ତର ଅବା ଜେଲ ପ୍ରଶାସନ ଦୋଷୀଙ୍କୁ ସାକ୍ଷାତ୍‌ କରିବାର ନିୟମ ରହିଛି। ତେବେ ଏହି ମାମଲାର ଦୋଷୀ ମୁକେଶ ଓ ପବନ କହିଛନ୍ତି ସେମାନେ ଫେବୃୟାରୀ ୧ ପୂର୍ବରୁ ସେମାନଙ୍କ ପରିଜନଙ୍କ ସହ ସାକ୍ଷାତ୍‌ କରିସାରିଛନ୍ତି। ଏବେ ପର୍ଯ୍ୟନ୍ତ ବିନୟ ଓ ଅକ୍ଷୟ ପରିଜନଙ୍କ ସହ ସାକ୍ଷାତ୍‌କାରକୁ ନେଇ କିଛି କହି ନାହାନ୍ତି।

Share