ପରିଣତ ବୟସରେ ଆବାସ ଯୋଜନାରୁ ବଞ୍ଚିତ କଳାକାର, ଘର ଖଣ୍ଡିଏ ପାଇଁ ଗୁହାରି ସତ୍ତ୍ୱେ ପ୍ରଶାସନର ନିଦ ଭାଙ୍ଗୁନି

କେନ୍ଦୁଝର,୨୪।୧୨(ସ୍ବ.ପ୍ର.): ସରକାର ଗରିବମାନଙ୍କୁ ପକ୍କା ଘର ଯୋଗାଇ ଦେବା ଲାଗି ଆବାସ ଯୋଜନା କରିଛନ୍ତି। ହେଲେ ଆଜି ବି ରାଜ୍ୟର ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ରହୁଛନ୍ତି। ଫଳରେ ବିପଦପୂର୍ଣ୍ଣ ଅବସ୍ଥାରେ ସେମାନଙ୍କୁ ଝାଟିମାଟି ଚାଳଛପର ଘରେ ଜୀବନ ବିତାଇବାକୁ ପଡ଼ୁଛି। ସଦର ବ୍ଲକ ଅନ୍ତର୍ଗତ ମଇଦାନକେଲ ପଞ୍ଚାୟତ କେରୀ ଗ୍ରାମରେ ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି। ଗ୍ରାମର ମହାନ୍ତ ସାହିର କଳାକର ମହାନ୍ତ(୮୩) ପରିଣତ ବୟସରେ ପହଞ୍ଚିଥିଲେ ସୁଦ୍ଧା ମୁଣ୍ଡ ଗୁଞ୍ଜିବାକୁ ତାଙ୍କର ଭଲ ଘରଟିଏ ନାହିଁ। ଏନେଇ ସେ ବହୁବାର ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନଙ୍କ ନିକଟରେ ଗୁହାରି କରିଥିଲେ ହେଁ ତାଙ୍କୁ ଆବାସ ଯୋଜନାରେ ଘର ପ୍ରଦାନ କରାଯାଉନାହିଁ। ଏବେ ଶୀତଦିନ ଥିବାରୁ ବହୁ କଷ୍ଟରେ ସେ ଉକ୍ତ ଘରେ ରହୁଥିବା ଅଭିଯୋଗ କରିଛନ୍ତି। ସରକାରୀ ସହାୟତା ପାଇବାକୁ ଯୋଗ୍ୟ ଥିବା ସତ୍ତ୍ୱେ ତାଙ୍କୁ ଘର ଖଣ୍ଡିଏ ଦିଆ ନ ଯିବାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ ତାଙ୍କୁ ଘରଟିଏ ଯୋଗାଇ ଦିଆଯାଉ ବୋଲି ସେମାନେ କହିଛନ୍ତି।

Share