ଢେଙ୍କାନାଳ ଅଫିସ, ୧୪।୮- ରସ ନାଏକଙ୍କ ଘର ଢେଙ୍କାନାଳ ସଦର ବ୍ଲକ ମଙ୍ଗଳପୁର ଗ୍ରାମରେ। ସ୍ବାମୀ ଫଗୁ ନାଏକ, ଦୁଇ ପୁଅ, ଝିଅଙ୍କୁ ନେଇ ତାଙ୍କ ସଂସାର। ପିଲାମାନେ ବିବାହ କରି ନିଜ ନିଜ ପରିବାର ସହ ବ୍ୟସ୍ତ। ୮୫ ବର୍ଷୀୟ ଫଗୁ ଆଉ କାମଧନ୍ଦା କରିପାରୁନାହାନ୍ତି। ରସଙ୍କର ବି ନଇଁଆସିଲାଣି ଅଣ୍ଟା। ତଥାପି ଖରା, ବର୍ଷା, ଶୀତକୁ ଖାତିର ନ କରି ସେ ଦୀର୍ଘ ୧୫ବର୍ଷ ହେଲା ପରିବା ବ୍ୟବସାୟ କରି ଆସୁଛନ୍ତି। ରଥଗଡ଼ାସ୍ଥିତ ବୟନିକା ସମ୍ମୁଖ ଫୁଟ୍ପାଥ୍ରେ ସେ ଖୋଲିଛନ୍ତି ନିଜର ଅସ୍ଥାୟୀ ଦୋକାନ। କାଙ୍କଡ଼, ଲେମ୍ବୁ, ଲଙ୍କା, ସଜନା ଛୁଇଁ, ଆମ୍ବୁଲ, ପଣସ ମଂଜି ସହିତ ଯେତେ ଋତୁକାଳୀନ ଜିନିଷ ସବୁ ତାଙ୍କ ପାଖରେ ସହଜରେ ମିଳେ। ସ୍ଥାନୀୟ ହାଟ, ବ୍ୟବସାୟୀଙ୍କଠାରୁ ସେ ଏସବୁ ଜିନିଷ ସଂଗ୍ରହ କରିଥାନ୍ତି। ରୋଜଗାର ଟଙ୍କାରୁ ନିଜ ପରିବାର ଚଳାଇବା ସହ କିଛି ନାତିନାତୁଣୀଙ୍କ ପଢ଼ାଖର୍ଚ୍ଚ ପାଇଁ ଦେଇଥାନ୍ତି।
ସକାଳୁ କାମଧାମ ସାରି ୭ଟାରେ ଜିନିଷପତ୍ର ଧରି ବସ୍ରେ ରସଙ୍କୁ ଢେଙ୍କାନାଳ ରଥଗଡ଼ାରେ ପହଞ୍ଚତ୍ବାକୁ ପଡ଼େ। ଅପରାହ୍ନ ୪ଟା ସୁଦ୍ଧା ବିକ୍ରିବଟା ସାରି ସେ ଘରକୁ ଫେରିଥାନ୍ତି। ବୃତ୍ତିଗତ ଜୀବନ ସମ୍ପର୍କରେ ରସ କୁହନ୍ତି, ‘ଘରେ ବସି କଣ କରିବି ା ମୋତେ ବସିବାକୁ ଭଲ ଲାଗେନି। କାହା ପାଖରେ ହାତ ପତେଇବା ଅପେକ୍ଷା ନିଜେ ରୋଜଗାର କରିବା ଭଲ। ସରକାରଙ୍କ ପକ୍ଷରୁ ଭତ୍ତା ମିଳୁଛି। ହାତଗୋଡ଼ ଚାଲୁଥିବା ଯାଏ ବେପାର କରୁଥିବି। ହାତଗୋଡ଼ ଅଚଳ ହୋଇଗଲେ ତେଣିକି ଠାକୁରଙ୍କ ଇଚ୍ଛା ବୋଲି ସେ ହସହସ ମୁହଁରେ କୁହନ୍ତି।
ଶାସନ ଅଞ୍ଚଳର ବୁଦ୍ଧିଜୀବୀ ଶଶିମୌଳି ରଥ କୁହନ୍ତି, ରସ ଜଣେ ଭଲ ମଣିଷ। ତାଙ୍କରି ବ୍ୟବହାର ଭଲ। ସେ ଭଲ ଜିନିଷ ରଖନ୍ତି। ଠିକ୍ ମୂଲ୍ୟ ନିଅନ୍ତି। ପରିଣତ ବୟସରେ ତାଙ୍କର ଏପରି ପରିଶ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଖୁସିଭରା ମନରେ ସେ ଜୀବନ ପଥରେ ଆଗେଇ ଚାଲିଛନ୍ତି। ତାଙ୍କଠାରୁ ସମସ୍ତଙ୍କୁ ଅନେକ କିଛି ଶିଖିବାର ଅଛି।