ପରିଣତ ବୟସରେ ଜିଲାପାଳଙ୍କୁ ଫେରାଦ

ବରଗଡ଼ ଅଫିସ୍‌,୨୨।୭- ନାଁ ତାଙ୍କର କୁଲରନ୍‌ ନାୟକ। ବରଗଡ଼ ଜିଲା ବରପାଲି ଏନଏସି ଅଧିନ ୱାର୍ଡ଼ ନଂ-୩ରେ ସେ ବର୍ତ୍ତମାନ ରହୁଛନ୍ତି । ପରିଣତ ବୟସରେ ସେ ଉପନୀତ। ତାଙ୍କୁ ୭୦ବର୍ଷ ବୟସ ଟପିଲାଣି। ଆହା କିମ୍ବା ସାହା କରିବାକୁ ତାଙ୍କ କୌଣସି ଆତ୍ମୀୟ ନାହାନ୍ତି । ସେ ଅବିବାହିତ ଏବଂ ଏବେ ଅସହାୟ ଜୀବନ ବିତାଉଛନ୍ତି। କିଏ କେତେବେଳେ ଖାଇବାକୁ ମୁଠାଏ ଦେଲେ ତାହା ତାଙ୍କର ଆହାର ପାଲଟୁଛି, ନଚେତ୍‌ ଅନେକ ସମୟରେ ଅର୍ଦ୍ଧାହାର କିମ୍ବା ଅନାହାରରେ ରହୁଥିବା କୁଲରନ୍‌ କହନ୍ତି । ସେହିପରି ରହିବା ପାଇଁ ଘରଟିଏ ମଧ୍ୟ ତାଙ୍କର ନାହିଁ। ଯେତେବେଳେ ଯେଉଁଠି ଆଶ୍ରୟସ୍ଥଳୀଟିଏ ମିଳିଲା, ସେଠାରେ ସେ ଜୀବନ ଅତିବାହିତ କରୁଛନ୍ତି । ଏଭଳିଭାବେ ଜୀବନଯାପନ କରୁଥିବା ଯୋଗୁ କୁଲରନ୍‌ ଅସୁସ୍ଥ ହୋଇ ପଡ଼ିଛନ୍ତି । ପକ୍ଷଘାତରେ ଆକ୍ରାନ୍ତ ଥିବା ଯୋଗୁ ସେ ଠିକ୍‌ଭାବେ କଥାବାର୍ତ୍ତା ମଧ୍ୟ କହି ପାରୁ ନାହାନ୍ତି । ବରପାଲି ଡାକ୍ତରଖାନାକୁ ଅନେକଥର ଚିକିତ୍ସା ପାଇଁ ସେ ଗଲେଣି, ମାତ୍ର ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରି ପାରି ନଥିବା କହନ୍ତି କୁଲରନ୍‌ । ଫଳରେ ତାଙ୍କ ଚିକିତ୍ସା ସହାୟତା ସମେତ ରହିବା, ଖାଇବା ପାଇଁ ବ୍ୟବସ୍ଥା କରିଦେବା ଆଶାରେ ସୋମବାର କୁଲରନ୍‌ ବରଗଡ଼ ଜିଲାପାଳ ଅଫିସ ଆସିଥିଲେ । ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଭେଟି ଏଥିରେ ତାଙ୍କୁ ସହାୟତା କରିବା ପାଇଁ ସେ ଗୁହାରୀ ମଧ୍ୟ କରିଛନ୍ତି । ସେ ଛୋଟ ଥିବାବେଳେ ବାପା ଜୟରାମ ଓ ମା ଛଅଣ୍ଡିଙ୍କ ଦେହାନ୍ତ ହୋଇଗଲା । ସେହିପରି ତାଙ୍କ ଅନ୍ୟଜଣେ ଭାଇ ଓ ଭଉଣୀ ଥିଲେ । ମାତ୍ର ସେମାନେ ମଧ୍ୟ ଆଉ ନାହାନ୍ତି । ଫଳରେ ତାଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କୁଲରନ ଜିଲାପାଳଙ୍କୁ ନିବେଦନ କରିଛନ୍ତି । ମାସିକ ୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ବ୍ୟତୀତ ଆଉ କିଛି ସରକାରୀ ସହାୟତା ତାଙ୍କୁ ମିଳୁ ନଥିବା ସେ କହିଛନ୍ତି ।