ପରିଣତ ବୟସରେ ସକ୍ଷମ

କେନ୍ଦୁଝର, ୫।୭(ସ୍ବ.ପ୍ର.)-ଯେଉଁ ବୟସରେ ନାତିନାତୁଣୀଙ୍କ ସହ ଖେଳାବୁଲା କରିବା କଥା ଓ ଘରେ ବିଶ୍ରାମ କରିବା କଥା ସେହି ବୟସରେ ବାଂଶପାଳ ବ୍ଲକ ଅନ୍ତର୍ଗତ ଠାକୁରଡିହି ଗ୍ରାମର ଭୂୟାଁ ଆଦିବାସୀ ସମ୍ପ୍ରଦାୟର ବୃଦ୍ଧା ମାନେ ରୋଜଗାର ପାଇଁ ସହରକୁ ଆସିଥାନ୍ତି। ଆର୍ଥିକ ଅନାଟନରେ ରହୁଥିବା ପରିବାରକୁ ସହାୟତା କରିବା ସହ ନିଜର ଆବଶ୍ୟକତା ଦୂର କରିବାକୁ ୭୦ ବର୍ଷ ବୟସରେ ସେମାନେ କାମ କରୁଛନ୍ତି।
ସେମାନେ କୁହନ୍ତି ଯେ, ପ୍ରତ୍ୟେକ ଦିନ ଏକାଠି ପାଖ ଜଙ୍ଗଲକୁ ଯାଇ ଶାଳ ପତ୍ର ସଂଗ୍ରହ କରନ୍ତି। ସଂଗୃହୀତ ଶାଳପତ୍ରକୁ ବୋହି ପର ଦିନ ସକାଳୁ କେନ୍ଦୁଝର ସହରକୁ ଆସି ବିକ୍ରି କରିଥାନ୍ତି। ଖରା ଓ ବର୍ଷାକୁ ଭ୍ରୁକ୍ଷେପ ନାହିଁ ା ଘରେ ବସି କଣ କରିବୁ ା ଏଣୁ କାମ କରି ଦୁଇ ପଇସା ରୋଜଗାର କରୁଥିବା କୁହନ୍ତି। ଆଗରୁ ପାଦରେ ଚାଲି ଚାଲି ଆସୁଥିଲେ କିନ୍ତୁ ଏବେ ଗାଡିରେ ଆସୁଥିବା କୁହନ୍ତି। ପତ୍ର ବିକିବା ସହ ଏଠାରେ ବସି ବେପାରିଙ୍କ ବରାଦ ମୁତାବକ ପତ୍ରକୁ ଟିପି ଖଲି ଓ ଚଉତି ପ୍ରସ୍ତୁତ କରିଥାନ୍ତି। ସେଥିରୁ ମଧ୍ୟ କିଛି ପଇସା ମିଳିଯାଏ ା ସପ୍ତାହରେ ୨/୩ ଥର ଆସିଥାନ୍ତି। ଯିବା ଆସିବା ଗାଡି ଭଡା କଲେ ୪୦ ଟଙ୍କା ଖର୍ଚ୍ଚ କରିଥାନ୍ତି। ପତ୍ର ବାବଦକୁ ଓ ଖଲି ପ୍ରସ୍ତୁତ ବାବଦକୁ ମିଶାଇ ସମୁଦାୟ ୧୦୦ ରୁ ୧୫୦ ଟଙ୍କା ପାଇଥାନ୍ତି ବୋଲି ରାଧି ପଢିଆରୀ କହିଛନ୍ତି। କେନ୍ଦୁଝରର ସହରର ଦୋକାନ ବାରଣ୍ଡାରେ ବା ରାସ୍ତା କଡ଼ରେ ବସି ପତ୍ରକୁ ଟିପି ଖଲି ଓ ଚଉତି ଆଦି ପ୍ରସ୍ତୁତ କରିଥାନ୍ତି। ଏହି ପରିଣତ ବୟସରେ ଏକାଠି ବସି ହସ ଖୁସି ତଥା ଉଲ୍ଲାସ ମନରେ ଖଲି ଓ ଚଉତି ପ୍ରସ୍ତୁତ କରିବା ଚିତ୍ର ଅନେକଙ୍କୁ ଆକୃଷ୍ଟ କରିଥାଏ ା ଏପରିକି ସେମାନଙ୍କ କାମ ଅନେକ ଙ୍କ ପାଇ ଦୃଷ୍ଟାନ୍ତ ସାଜିଛନ୍ତି। ଘରେ ପୁଅ ଓ ବୋହୁ ତଥା ନାତିନାତୁଣୀ ଅଛନ୍ତି। ମହଙ୍ଗା ଯୁଗରେ ସେମାନେ ଚଳିବା କଷ୍ଟକର ହୋଇପଡ଼ୁଛି। ଏଣୁ ଖୁସି ମନରେ ଦୁଇ ପଇସା ରୋଜଗାର କରି ପରିବାର ଚଳାଇବାରେ ସହାୟତା କରିବା ସହ ନିଜର ଆବଶ୍ୟକତା ଦୂର କରିଥାଉ ବୋଲି ଖତି ପଢିହାର କହିଛନ୍ତି।
ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ପାଉଥିଲେ ସେଥିରେ ଚଳି ପାରୁ ନ ଥିବାରୁ ପତ୍ର ବିକି ଚଳୁଥିବା କହିଛନ୍ତି। କାମଧନ୍ଦା କରୁଥିବାରୁ ସେମାନେ ସୁସ୍ଥ ରହୁଛନ୍ତି ଏବଂ ଚଲାବୁଲା କରିପାରୁଛନ୍ତି। ଘର ଖଣ୍ଡେ ମିଳିନାହିଁ। ରାଶନ କାର୍ଡ ଅଛି ଯେ ଚାଉଳ କିଣିବାକୁ ପଇସା ନାହିଁ। ସେମାନଙ୍କୁ ଘର ଯୋଗାଇଦେଲେ ସେମାନେ ଭଲରେ ରହିପାରନ୍ତେ ବୋଲି ମୁଗ ମନ୍ତ୍ରୀ କହିଛନ୍ତି। ପତ୍ର ବିଡା ୫ ଟଙ୍କାରେ ବେପାରୀଙ୍କୁ ବିକନ୍ତି। କିନ୍ତୁ ବେପାରୀ ଏହାକୁ ୧୦ ଟଙ୍କାରେ ବିକି ଅଧିକ ଲାଭବାନ ହେଉଛନ୍ତି। ଏଣୁ ସେମାନଙ୍କ ପାଇଁ ଖଲି, ଚଉତି ଆଦି ପ୍ରସ୍ତୁତ କରିବା ପାଇଁ ସହାୟତା କରିବା ସହ ବିକ୍ରି କରିବା ପାଇଁ ବ୍ୟବସ୍ଥା କଲେ ସେମାନେ ଅଧିକ ଉପକୃତ ହୋଇ ପାରନ୍ତେ ବୋଲି ମତପ୍ରକାଶ ପାଉଛି ା