ପରିତ୍ୟକ୍ତ ଅବସ୍ଥାରେ ଡାକ୍ତରଖାନା କୋଠା

ରାଇସୁଆଁ, ୧୮।୧୧(ଡି.ଏନ.ଏ.)-ସରକାର ଗରିବ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଡାକ୍ତରଖାନା ଗୃହ ନିର୍ମାଣ ଠାରୁ ଆରମ୍ଭ କରି କର୍ମଚାରୀଙ୍କ ରହିବା ପାଇଁ ଗୃହ ନିମାଣ କରାଯାଉଛି। ମାତ୍ର ପ୍ରଶାସନିକସ୍ତରରେ ଏହା କାର୍ଯ୍ୟକ୍ଷମ ହୋଇ ନ ପାରିବାରୁ ଏହା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। କେନ୍ଦୁଝର ଜିଲା ବାଂଶପାଳ ବ୍ଲକର ଖଣି କ୍ଷତିଗ୍ରସ୍ତ ଲୋକଙ୍କୁ ମାଗଣା ଚିକିତ୍ସା ପାଇଁ ସରକାର ୧୫ ଲକ୍ଷ ଟଙ୍କାରେ କୁମୁଣ୍ଡି ପଞ୍ଚାୟତର ତଳଜାଗର ଗାଁରେ ୫ବର୍ଷରୁ ଊର୍ଦ୍ଧ୍ୱ ହେବ ଏହି ଡାକ୍ତରଖାନା ଗୃହ ନିର୍ମାଣ ହେବାସହ ଡାକ୍ତରଙ୍କ ରହିବା ପାଇଁ ଗୃହ ବିଜୁଳି ସଂଯୋଗ ବ୍ୟବସ୍ଥା କରିଛନ୍ତି। ମାତ୍ର ଏହି ଡାକ୍ତରଖାନା ଆଜିଯାଏ ଲୋକଙ୍କ ସେବାରେ ଲାଗି ପାରୁନି କି ଫିତା କଟା କାର୍ଯ୍ୟ ସମ୍ପନ୍ନ ହୋଇପାରୁନି। ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ କହିଛନ୍ତି ଯେ, ଏହି ଡାକ୍ତରଖାନା କାର୍ଯ୍ୟକାରୀ ହେଲେ ବହୁ ଗରିବ ଆଦିବାସୀ ଲୋକଙ୍କୁ ସ୍ବାସ୍ଥ୍ୟସେବା ମିଳନ୍ତା। କିନ୍ତୁ ତାହା ହେଉନାହିଁ। ଲୋକମାନେ ଡାକ୍ତରୀ ଚିକିତ୍ସା ନ ପାଇ ଚେରମୂଳି ଚିକିତ୍ସାକୁ ଆଦରି ଅକାଳରେ ଜୀବନ ହରାଉଛନ୍ତି। ଏଥି ପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବା ସହ ତୁରନ୍ତ ଡାକ୍ତର ଖାନାକୁ କାର୍ଯ୍ୟକ୍ଷମ କରିବାକୁ ସ୍ଥାନୀୟ ଅଞ୍ଚଳର ଲୋକେ ଜିଲାପ୍ରଶାସନ ନିକଟରେ ଦାବି କରିଛନ୍ତି।