ପରିତ୍ୟକ୍ତ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର

ତିହିଡ଼ି,୧୧।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ନନ୍ଦପୁର ବଜାର ଓ ତିହିଡ଼ି ପୁରୁଣାହାଟ ମଧ୍ୟସ୍ଥଳରେ ଥିବା ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ରାତିରେ ତିହିଡ଼ି ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ମୃତ ଯୁବକ ହେଲେ ତିହିଡ଼ି ଥାନା ଜାମଯୋଡ଼ି ପଞ୍ଚାୟତ ଅଧୀନ ଅମୃତପୁର ଗ୍ରାମର ରତ୍ନାକର ଖୁଣ୍ଟିଆ। ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ମୃତ ଯୁବକଙ୍କ ପରିବାର ପକ୍ଷରୁ ତିହିଡ଼ି ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ବୁଧବାର ମଧ୍ୟାହ୍ନରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ କରାଯାଇଛି। ତେବେ ରତ୍ନାକର ଗତ ଶନିବାରଠାରୁ ନିଖୋଜ ଥିବା ଜଣାପଡ଼ିଛି।