ପରିତ୍ୟକ୍ତ ଘରେ ରହୁଥିବା ଦମ୍ପତି ଗାଁକୁ ଫେରିଲେ

 

ଲଖନପୁର,୨୫ା୪(ଡି.ଏନ୍‌.ଏ.)-ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳା ପାଇଁ କେତେକ ସ୍ଥାନରେ କରୋନା ସନ୍ଦିଗ୍ଧ ବ୍ୟକ୍ତିମାନେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚତ୍ତ ହେଉଛନ୍ତି ।  ଏଥିସହିତ ସେମାନେ ଗ୍ରାମବାସୀଙ୍କ ନିର୍ଯାତନାର ଶିକାର ହେଉଛନ୍ତି ।  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍‌ ଅଧୀନ ଅତାବିରା ପଞ୍ଚାୟତ ଏମ୍‌ କଣ୍ଟାପାଲି ଗ୍ରାମରେ ।  ଏହି ଗ୍ରାମର ଜଣେ ସନ୍ଦିଗ୍ଧ ମହିଳାଙ୍କୁ ଗ୍ରାମବାସୀ ଗାଁରେ ରଖିବାକୁ ବାରଣ କରିଥିଲେ ।  ଏପରି କି ତାଙ୍କୁ ପଞ୍ଚାୟତ ତରଫରୁ କୁମର ଗାଁ ସ୍କୁଲ୍‌ରେ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ ଦିଆଯାଇ ନ ଥିଲା ।  ଫଳରେ ଗାଁ ବାହାରେ ଥିବା ଏକ ପରିତ୍ୟକ୍ତ ଘରେ ଗତ ମଙ୍ଗଳବାରରୁ ମହିଳା ଜଣକ ନିଜ ସ୍ବାମୀଙ୍କ ସହ ରହି ଆସୁଥିଲେ ।  ଏନେଇ ସଂପୃକ୍ତ ଦମ୍ପତି ଲଖନପୁର ବିଡିଓ, ରେଙ୍ଗାଲି ପୋଲିସ ଓ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା ।  ଶେଷରେ ଶୁକ୍ରବାର ପୂର୍ବାହ୍ନରେ ବିଡିଓ ପଟେଲ ଏମ୍‌ କଣ୍ଟାପାଲି ଗ୍ରାମରେ ପହଞ୍ଚତ୍ ପରିତ୍ୟକ୍ତ ଘରେ ରହିଥିବା ଦମ୍ପତିଙ୍କୁ ଭେଟି ଆଲୋଚନା କରି ଘରକୁ ଫେରାଇ ଆଣିଛନ୍ତି ।  ଏବେ ସମ୍ପୃକ୍ତ ଦମ୍ପତି ଘରେ ସଙ୍ଗରୋଧରେ ରହିବେ ବୋଲି ବିଡିଓ କହିଛନ୍ତି ।  ଏ ନେଇ ସେ ଗ୍ରାମବାସୀ ଓ ଜିଲାପାଳଙ୍କ ସହ ଆଲୋଚନା କରିଥିବା ସ୍ପଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟ, ମହିଳା ଜଣକ ଗତ ଦେଢମାସ ତଳେ ଘରୁ କେଉଁଆଡେ ଚାଲିଯାଇଥିଲେ ।  ଗତ ୧ସପ୍ତାହ ତଳେ ସେ ଗ୍ରାମକୁ ଫେରିଥିଲେ ।  ଏହା ଜଣାପଡିବା ପରେ ଗ୍ରାମବାସୀ ସମ୍ପୃକ୍ତ ମହିଳାଙ୍କୁ ଗ୍ରାମରେ ନ ରହି ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ କହିଥିଲେ ।  ଏ ସମ୍ପର୍କରେ ମହିଳା ଜଣକ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ ।  ପଞ୍ଚାୟତ ତରଫରୁ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ ସରପଞ୍ଚ ତାଙ୍କୁ କହିଥିଲେ ।  ହେଲେ ସେଠାରେ ମଧ୍ୟ ରହିବା ପାଇଁ ତାଙ୍କୁ ବିରୋଧ କରାଯାଇଥିଲା ।  ଏନେଇ ସ୍ଥାନୀୟ ସରପଞ୍ଚ ତପ ପ୍ରଧାନ କହିଛନ୍ତି, ସନ୍ଦିଗ୍ଧ ମହିଳାଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯିବାପାଇଁ କୁହାଯାଇଥିଲା ।  ସେଠାରେ କୁମର ଗ୍ରାମର କେତେଜଣ ଗ୍ରାମବାସୀ ବିରୋଧ କରିଥିଲେ ।  ଏନେଇ ବିଡିଓ ସଞ୍ଜୀବ ପଟେଲ କହିଛନ୍ତି, ମହିଳା ଜଣଙ୍କ କୌଣସି ରାଜ୍ୟ ଓ ଜିଲା ବାହାରକୁ ଯାଇ ନ ଥିଲେ ।  ତାଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିବା କୌଣସି ଆବଶ୍ୟକତା ନାହିଁ ।  ସେ ନିଜ ଘରେ ସଙ୍ଗରୋଧରେ ରହିପାରିବେ ।  ଏହାକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କ ବିରୋଧରେ ଆବଶ୍ୟକ ପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Share