ପରିବହନକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌, ଥାନାରେ ଏତଲା

ଯୋଡ଼,୨୮।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡାଠାରେ ଲୁହାପଥର ପିଲେଟ ପରିବହନକୁ କେନ୍ଦ୍ର କରି ମାରପିଟ୍‌ ହୋଇଛି। ଏ ନେଇ ଥାନାରେ ଏତଲା ହୋଇଥିବା ମଧ୍ୟ ଜଣାପଡିଛି ।
ସୂଚନାନୁଯାୟୀ, ଶୁକ୍ରବାର ବାଂଶପାଣି ରେଳସାଇଡିଂରୁ ଗଚ୍ଛିତ ରଖାଯାଇଥିବା ପିଲେଟ ପରିବହନ ହେଉଥିଲା । ଲୁହାପଥର ପିଲେଟ ଉ ଉତ୍ପାଦନକାରୀ କମ୍ପାନୀ ପକ୍ଷରୁ ୨୦୦ ଟ୍ରିପ୍‌ ପିଲେଟ ଜୁରୁଡି ରେଳସାଇଡିଂକୁ ପରିବହନ କରିବା ପାଇଁ ଏକ ପରିବହନକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପରିବହନକାରୀ ସଂସ୍ଥା ପକ୍ଷରୁ ୪୦ ଟ୍ରିପ୍‌ ପରିବହନ ହେବା ପରେ ବନ୍ଦ କରାଯାଇଥିଲା ଏବଂ ପରେ ପୁଣି ଥରେ ପରିବହନ ଆରମ୍ଭ କରାଯାଇଥିଲା । ଏଥିରେ ସ୍ଥାନୀୟ ଗାଡିଗୁଡିକୁ ପରିବହନ କାର୍ଯ୍ୟ ଦେବାକୁ ନେଇ ସେଠାରେ ଉପସ୍ଥିତ ଥିବା ସନ୍ତୋଷ ସିଂ, ବବି ରାୟ, ବୁଦ୍ଧଦେବ ବାନାର୍ଜୀଙ୍କ ସହିତ ଅମର ମହାକୁଡ, ଗୁରୁମିତ ସିଂ, ଚନ୍ଦ୍ରକାନ୍ତ ବେହେରାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ମାରପିଟ୍‌ ହୋଇଥିଲା । ଗୁରୁମିତ, ଅମର, ଚନ୍ଦ୍ରକାନ୍ତଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ଯୋଡା ଥାନାରେ ଲିଖିତ ଅଭିଯୋଗ ହେବା ପରେ ଯୋଡା ଥାନା ପକ୍ଷରୁ କେସ ନଂ. ୧୫୮/୨୦୧୯ ରୁଜୁ କରାଯାଇଥିବା ସବଇନ୍ସପେକ୍ଟର ବିଶ୍ୱଜିତ ବେହେରା ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଏହି ଘଟଣାକୁ ନେଇ ଏକ ପାଲଟା ଅଭିଯୋଗ କରାଯାଇଥିବା ପୋଲିସ ସୂଚନା ଦେଇଛି।