ପରିବହନ ସଂସ୍ଥାର ମନମୁଖି ଦର ଧାର୍ଯ୍ୟକୁ ବିରୋଧ: ଏସ୍‌ପିଙ୍କୁ ଭେଟିଲେ ଟ୍ରକ୍‌ ମାଲିକ ସଂଘ

କୋରେଇ,୬।୧୨ (ସ୍ବ.ପ୍ର.)- ଖଣିରେ କ୍ରୋମାଇଟ୍‌ ଲୋଡିଂକୁ ନେଇ ଫାଷ୍ଟ କମ୍‌ ଫାଷ୍ଟ ଲୋଡ୍‌ ବ୍ୟବସ୍ଥା ଲାଗୁ କରାଯାଇଛି। କିନ୍ତୁ ପରିବହନ କମ୍ପାନୀ ମନଇଚ୍ଛା ଦରଧାର୍ଯ୍ୟକରି ଗାଡି ଲୋଡିଂ କରୁଛନ୍ତି। ଏମିତିକି ଗୋଟିଏ ଦିନରେ ଗୋଟିଏ ସ୍ଥାନକୁ ଗାଡି ଲୋଡିଂ କରାଯାଇଥିବା ବେଳେ ବିଭିନ୍ନ ଗାଡି ପ୍ରତି ଭିନ୍ନଭିନ୍ନ ଦର ଲାଗୁ କରାଯାଉଛି। ଏହାକୁ ବିରୋଧ କରି ଗୁରୁବାର ବହୁ ଟ୍ରକ୍‌ ମାଲିକ ସଂଘ ଯାଜପୁର ଜିଲା ପୋଲିସ ମୁଖ୍ୟାଳୟ ପାଣିକୋଇଲିଠାରେ ଏସ୍‌ପି ଚରଣ ସିଂହ ମୀନାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଯେ, ଖଣିରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡ୍‌ ନିୟମ ଲାଗୁ କରାଯାଇଛି। ହେଲେ ଖଣିରେ ପରିବହନ କମ୍ପାନୀ ପକ୍ଷରୁ ମନଇଚ୍ଛା ଦରଧାର୍ଯ୍ୟକରି ଟନ୍‌ ପ୍ରତି କାହାଠୁ ୬୫୦ ଟଙ୍କା ତ ଆଉ କାହାଠୁ ୭୫୦ଟଙ୍କା ଦର ଲାଗୁ କରାଯାଉଛି। ଏମିତିକି ଅନ୍‌ଲୋଡିଂ ପରେ ଭଡା ଅର୍ଥ ପ୍ରଦାନରେ ଅହେତୁକ ବିଳମ୍ବ କରାଯାଉଛି। ଫଳରେ ଗାଡି ମାଲିକମାନେ କ୍ଷତିର ସମ୍ମୁଖୀନ ହେଉଥିବା କହିଛନ୍ତି। ପୂର୍ବରୁ ମଧ୍ୟ ଏକ୍ସମି ଲଗୋଷ୍ଟିକ୍ସର ଏତାଦୃଶ କାର୍ଯ୍ୟ ନେଇ ଜିଲାପାଳ ଓ କାଳିଆପାଣି ଥାନାରେ ଅଭିଯୋଗ କରାଯାଇଥିଲା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ଟ୍ରକ୍‌ମାଲିକମାନେ କହିଛନ୍ତି। ଦାବିପତ୍ର ପ୍ରଦାନବେଳେ କୁହିକା, ସୁକିନ୍ଦା, ଯାଜପୁରରୋଡ, ଦାନଗଦୀ, ଚଣ୍ଡିଖୋଲ, ପାଣିକୋଇଲି ଆଦି ସ୍ଥାନରୁ ବହୁ ଟ୍ରକ୍‌ ମାଲିକ ଏସ୍‌ପିଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସୁକିନ୍ଦା ଟ୍ରକ୍‌ ମାଲିକ ସଂଘ ସମ୍ପାଦକ ଅରୁଣ କୁମାର ପରିଡାଙ୍କ ନେତୃତ୍ୱରେ ଦିଲ୍ଲିପ କୁମାର ମଲ୍ଲୀକ, ରାଜ କିଶୋର ପ୍ରଧାନ, ଅଶୋକ କୁମାର ନାୟକ, ପ୍ରଶାନ୍ତ କୁମାର ସାହୁ, ସୂର୍ଯ୍ୟମଣି ବେହେରା, ସୁଦର୍ଶନ ପାତ୍ର, ପ୍ରଭାତ ସିଂହ ପ୍ରମୁଖ ପ୍ରତିନିଧି ମଣ୍ଡଳୀ ଏସ୍‌ପି ମୀନାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।